ନ୍ୟୁୟର୍କ ସିଟିର ପ୍ରଥମ ମୁସଲିମ ମେୟର ହେଲେ ଜୋହରାନ ମମଦାନି

ଓଡ଼ିଶା ସହ ରହିଛି ସମ୍ପର୍କ, ନବୀନ ଜଣାଇଲେ ଶୁଭେଚ୍ଛା

ନ୍ୟୁୟର୍କ, ୦୫/୧୧: ଆମେରିକାର ନ୍ୟୁୟର୍କ ସିଟିରେ ମେୟର ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ଏଥିରେ ଭାରତୀୟ ବଂଶୋଦ୍ଭବ ପ୍ରାର୍ଥୀ ଜୋହରାନ ମମଦାନି ବିଜୟୀ ହୋଇ ନ୍ୟୁୟର୍କ ସିଟିର ସର୍ବ କନିଷ୍ଠ, ପ୍ରଥମ ମୁସଲିମ ଏବଂ ପ୍ରଥମ ଦକ୍ଷିଣ ଏସୀୟ ମେୟର ହୋଇଛନ୍ତି।

ମମଦାନି ପୂର୍ବତନ ନ୍ୟୁୟର୍କ ରାଜ୍ୟପାଳ ଆଣ୍ଡ୍ରୁ କୁମୋ, ଯିଏ ଜଣେ ସ୍ୱାଧୀନ ପ୍ରାର୍ଥୀ ଏବଂ ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀ କର୍ଟିସ୍ ସ୍ଲିୱାଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରୁଥିଲେ। ପୂର୍ବତନ ନ୍ୟୁୟର୍କ ରାଜ୍ୟପାଳ ଆଣ୍ଡ୍ରୁ କୁମୋଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏଲୋନ୍ ମସ୍କଙ୍କ ଭଳି ପ୍ରମୁଖ ବ୍ୟକ୍ତିମାନେ ସମର୍ଥନ କରିଥିଲେ।

ଓଡ଼ିଶା ସହ କ’ଣ ରହିଛି ସମ୍ପର୍କ:-

ଜୋହରାନ୍ ମମଦାନି ଉଗାଣ୍ଡାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମାଆ ମୀରା ନାୟାର ଜଣେ ହିନ୍ଦୁ ଏବଂ ଓଡ଼ିଶାର ରାଉରକେଲାରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ଜନ୍ମ ୧୯୫୭ ମସିହାରେ ହୋଇଥିଲା। ସେ ଜଣେ ପ୍ରସିଦ୍ଧ ଚଳଚ୍ଚିତ୍ର ପ୍ରଯୋଜିକା ମଧ୍ୟ। ସେ ସଲାମ୍ ବମ୍ବେ (୧୯୮୮), ମିସିସିପି ମସଲା (୧୯୯୧), ମନସୁନ୍ ୱେଡିଂ (୨୦୦୧) ଭଳି ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି। ଯେତେବେଳେ ଜୋହରାନ୍‌ଙ୍କ ପିତା ମହମୁଦ୍ ମମଦାନି ଜଣେ ଉଗାଣ୍ଡା ନାଗରିକ। ସେ କଲମ୍ବିଆ ବିଶ୍ୱବିଦ୍ୟାଳୟରେ ନୃବିଜ୍ଞାନର ପ୍ରଫେସର। କିନ୍ତୁ ମହମୁଦ୍ ମାମଦାନି ୧୯୪୬ ମସିହାରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ପରେ ତାଙ୍କ ପରିବାର ସହ ସେ ଉଗାଣ୍ଡା ଚାଲି ଯାଇଥିଲେ। ଉଗାଣ୍ଡାର ରାଜଧାନୀ କାମ୍ପାଲାରେ ଭାରତୀୟ ପ୍ରବାସୀ ସମ୍ପ୍ରଦାୟରେ ବଢ଼ିଥିଲେ। ୧୯୭୨ ମସିହାରେ ଉଗାଣ୍ଡାର ଏକଛତ୍ରବାଦୀ ଇଦି ଅମିନଙ୍କ ଦ୍ୱାରା ବହିଷ୍କୃତ ହୋଇଥିବା ୬୦,୦୦୦ ଏସୀୟଙ୍କ ମଧ୍ୟରୁ ଜଣେ ମହମୁଦ ମମଦାନି ଥିଲେ। ପ୍ରଥମେ ସେ କେପ୍ ଟାଉନରେ ରହିଥିଲେ। ଜୋହରାନ୍ ମାତ୍ର ୭ ବର୍ଷ ବୟସର ହେବା ସମୟରେ ସେ ନ୍ୟୁୟର୍କ ଚାଲି ଆସିଥିଲେ। ଜୋହରାନ ୧୯୯୧ ମସିହାରେ ଉଗାଣ୍ଡାର‌ କମ୍ପାଲାରେ ଜନ୍ମ ହୋଇଥିଲେ।

ତେବେ ମମଦାନିଙ୍କ ବିଜୟ ପରେ ଶୁଭେଚ୍ଛା ଜଣାଇଛନ୍ତି ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏକ୍ସରେ ପୋଷ୍ଟ କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।