ରାଜ୍ୟପାଳଙ୍କ ତିନି ଦିନିଆ ଗୁଜରାଟ ଗସ୍ତ

ପ୍ରଥମ ଦିନରେ ଗିଫ୍ଟ ସିଟି, ସାବରମତୀ ଆଶ୍ରମ ଓ ଅଟଳ ବ୍ରିଜ୍ ପରିଦର୍ଶନ

ଭୁବନେଶ୍ୱର, ୮/୧୧: ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ତିନି ଦିନିଆ ଗୁଜରାଟ ଗସ୍ତ ଅବସରରେ ଶୁକ୍ରବାର ଦିନ ଭାରତର ପ୍ରଥମ ବୈଶ୍ୱିକ ଆର୍ଥିକ ଓ ପ୍ରଯୁକ୍ତିବିଦ୍ୟା କେନ୍ଦ୍ର ଗୁଜରାଟ ଇଣ୍ଟରନ୍ୟାଶନାଲ ଫାଇନାନ୍ସ ଟେକ-ସିଟି (ଗିଫ୍ଟ ସିଟି) ପରିଦର୍ଶନ କରିଛନ୍ତି।

ରାଜ୍ୟପାଳ ଗିଫ୍ଟ ସିଟିର ବିଶ୍ୱସ୍ତରୀୟ ଭିତ୍ତିଭୂମି ଓ ନବସୃଜନଶୀଳ ପରିବେଶକୁ ପ୍ରଶଂସା କରିଛନ୍ତି ଯାହା ଆର୍ଥିକ ଓ ପ୍ରଯୁକ୍ତିବିଦ୍ୟା ବିକାଶକୁ ପ୍ରୋତ୍ସାହିତ କରୁଛି। ସେ ଏହି ପ୍ରକଳ୍ପର ଦୂରଦୃଷ୍ଟିକୁ ମଧ୍ୟ ପ୍ରଶଂସା କରି ଏହାକୁ ଭାରତକୁ ବୈଶ୍ୱିକ ଆର୍ଥିକ ମହାଶକ୍ତି ରୂପେ ଗଢ଼ି ତୋଳିବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଛନ୍ତି।

ଏହା ପରେ ରାଜ୍ୟପାଳ ଅହମଦାବାଦର ଐତିହାସିକ ସାବରମତୀ ଆଶ୍ରମରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଥିଲେ I ଏହି ଆଶ୍ରମ ଗାନ୍ଧୀଜୀଙ୍କର ସତ୍ୟ, ଶାନ୍ତି ଓ ନିସ୍ଵାର୍ଥପର ସେବାର ଆଦର୍ଶକୁ ପ୍ରତିଫଳିତ କରୁଛି ଏବଂ ଦେଶକୁ ଆଜି ମଧ୍ୟ ପ୍ରେରଣା ଦେଉଛି ବୋଲି ରାଜ୍ୟପାଳ କହିଥିଲେ I

ପରେ ସେ ସାବରମତୀ ରିଭରଫ୍ରଣ୍ଟ (ଅଟଳ ବ୍ରିଜ୍) ପରିଦର୍ଶନ କରି ସୂର୍ଯ୍ୟାସ୍ତର ମନୋରମ ଦୃଶ୍ୟ ଉପଭୋଗ କରିବା ସହ ଅର୍ବାନ ୱାଟର ଫ୍ରଣ୍ଟର ସୌନ୍ଦର୍ଯ୍ୟ ଓ ଦୂରଦୃଷ୍ଟି ସମ୍ପନ୍ନ ବିକାଶକୁ ପ୍ରଶଂସା କରିଥିଲେ ।ରାଜ୍ୟପାଳଙ୍କ ଉପରୋକ୍ତ ଗସ୍ତ ସମୟରେ ରାଜ୍ୟର ମାନ୍ୟବର ପ୍ରଥମ ମହିଳା ଡ଼. ଜୟଶ୍ରୀ କମ୍ଭମପାଟି ମଧ୍ୟ ଉପସ୍ଥିତ ଥିଲେ I

ଶନିବାର ଦିନ ଗୁଜରାଟର କେୱାଡିଆଠାରେ ଆୟୋଜିତ ହେଉଥିବା ‘ଭାରତ ପର୍ବ’ ଉତ୍ସବରେ ରାଜ୍ୟପାଳ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି I ‘ଏକ ଭାରତ ଶ୍ରେଷ୍ଠ ଭାରତ’ ର ଦୃଷ୍ଟିକୋଣକୁ ଆଧାର କରି ଆୟୋଜିତ ହେଉଥିବା ଏହି ଉତ୍ସବ ସାଂସ୍କୃତିକ ଐକ୍ୟକୁ ପ୍ରୋତ୍ସାହିତ କରି ରାଜ୍ୟଗୁଡ଼ିକ ମଧ୍ୟରେ ବନ୍ଧନକୁ ସୁଦୃଢ଼ କରିବ।