ନୂଆଦିଲ୍ଲୀ, ୦୮/୧୧: ଦିଲ୍ଲୀର ବାୟୁ ଗୁଣବତ୍ତା ତୀବ୍ର ଭାବରେ ଖରାପ ହେବାରେ ଲାଗିଛି। ସହରର ଅନେକ ସ୍ଥାନରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୪୦୦ ଉପରେ ରେକର୍ଡ ହୋଇଛି। ଯାହା ବାୟୁର ସ୍ତର ‘ଗମ୍ଭୀର’ ପରିସ୍ଥିତିରେ ଅଛି। ବିଷାକ୍ତ ବାୟୁ ଯୋଗୁଁ ଜାତୀୟ ରାଜଧାନୀ ଦିଲ୍ଲୀକୁ ‘ରେଡ୍ ଜୋନ୍’ ଭିତରେ ରଖାଯାଇଛି। ଯାହାଫଳରେ ଦେଶର ସବୁଠାରୁ ପ୍ରଦୂଷିତ ସହର ହୋଇଯାଇଛି ଦିଲ୍ଲୀ।
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ର ତଥ୍ୟ ଅନୁଯାୟୀ, ଅପରାହ୍ନ ୪ଟାରେ ରେକର୍ଡ କରାଯାଇଥିବା ଦିଲ୍ଲୀର ୨୪ ଘଣ୍ଟାର ହାରାହାରି ଏକ୍ୟୁଆଇ ୩୬୧ ଥିଲା, ଯାହା ଏହାକୁ ଦେଶବ୍ୟାପୀ ସବୁଠାରୁ ପ୍ରଦୂଷିତ ସହର ମଧ୍ୟରେ ଦ୍ୱିତୀୟ ସ୍ଥାନରେ ରଖିଥିଲା। ଶୁକ୍ରବାର ଦିନ ଦିଲ୍ଲୀର ଏକ୍ୟୁଆଇ ୩୨୨ ରେକର୍ଡ କରାଯାଇଥିଲା।
ସହରର ୩୮ଟି ମନିଟରିଂ ଷ୍ଟେସନ ମଧ୍ୟରୁ, ଅନେକ ଅଞ୍ଚଳରେ ପ୍ରଦୂଷଣ ସ୍ତର ବିଶେଷ ଭାବରେ ଉଚ୍ଚ ଥିଲା। CPCBର ସମୀର ଆପ୍ ଅନୁଯାୟୀ, ୱାଜିରପୁରରେ AQI ୪୨୦, ବୁରାରୀରେ ୪୧୮, ବିବେକ ବିହାରରେ ୪୧୧, ନେହେରୁ ନାରରେ ୪୦୬, ଆଲିପୁରରେ ୪୦୪ ଏବଂ ITOରେ ୪୦୨ ଛୁଇଁଥିଲା – ଯାହା ଅତି ଗମ୍ଭୀର।
ନୋଏଡାରେ AQI ୩୫୪, ଗ୍ରେଟର ନୋଏଡାରେ ୩୩୬ ଏବଂ ଗାଜିଆବାଦରେ ୩୩୯ ରେକର୍ଡ କରାଯାଇଛି, ଯାହାକୁ ‘ଅତି ଖରାପ’ ବର୍ଗରେ ରଖାଯାଇଛି।
ତେବେ ଦିଲ୍ଲୀର ବାୟୁ ଶୀଘ୍ର ସୁଧାର ହେବାର ସମ୍ଭାବନା ନାହିଁ, ଆଗାମୀ ଦିନରେ AQI ‘ଅତି ଖରାପ’ ବର୍ଗରେ ରହିବ ବୋଲି ଆଶା କରାଯାଉଛି।
CPCB ମାନଦଣ୍ଡ ଅନୁଯାୟୀ, ୦-୫୦ ମଧ୍ୟରେ AQI କୁ “ଭଲ”, ୫୧-୧୦୦ “ସନ୍ତୋଷଜନକ”, ୧୦୧-୨୦୦ “ମଧ୍ୟମ”, ୨୦୧-୩୦୦ “ଖରାପ”, ୩୦୧-୪୦୦ “ଅତ୍ୟନ୍ତ ଖରାପ”, ଏବଂ ୪୦୧-୫୦୦ “ଗମ୍ଭୀର” ବୋଲି ବିବେଚନା କରାଯାଏ।