ୱାଶିଂଟନ, ୦୯/୧୧: ଆମେରିକାରେ ସରକାରୀ କାର୍ଯ୍ୟ ବନ୍ଦ ହେବା ଫଳରେ ପାଣ୍ଠି ଅଭାବ ଦେଖା ଦେଇଛି। ପାଣ୍ଠି ଅଭାବରୁ ସରକାରୀ ସେବାଗୁଡ଼ିକ ବାଧାପ୍ରାପ୍ତ ହୋଇଛି, ଯାହା ଜନସାଧାରଣଙ୍କ କଷ୍ଟକୁ ଆହୁରି ବଢ଼ାଇ ଦେଇଛି। ପ୍ରମୁଖ ଆମେରିକା ବିମାନ କମ୍ପାନୀଗୁଡ଼ିକ ଲଗାତାର ଦ୍ୱିତୀୟ ଦିନ ପାଇଁ ୧୩୦୦ ରୁ ଅଧିକ ବିମାନ ଉଡ଼ାଣ ବାତିଲ କରିଛନ୍ତି, ଯାହା ଫଳରେ ବିମାନ ଯାତ୍ରୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।
ବିଶେଷଜ୍ଞମାନେ ଆକଳନ କରିଛନ୍ତି ଯେ ଯଦି ଏହି ଧାରା ଜାରି ରହେ, ତେବେ ପରିବହନ ଶିଳ୍ପ ଏବଂ ଅର୍ଥନୀତି ଉପରେ ଏହାର ପ୍ରଭାବ ଆହୁରି ଗଭୀର ହୋଇପାରେ, ବିମାନ ଚଳାଚଳରେ ୧୦% ହ୍ରାସ ହେବାର ସମ୍ଭାବନା ରହିଛି। ଉତ୍ତର କାରୋଲିନାର ଚାର୍ଲୋଟ ବିମାନବନ୍ଦରରେ ଶନିବାର ମଧ୍ୟାହ୍ନ ସୁଦ୍ଧା ୧୩୦ ରୁ ଅଧିକ ବିମାନ ବାତିଲ କରାଯାଇଥିଲା। ଆଟଲାଣ୍ଟା, ଚିକାଗୋ, ଡେନଭର ଏବଂ ନ୍ୟୁ ଜର୍ସିର ନ୍ୟୁଆର୍କ ବିମାନବନ୍ଦରରେ ମଧ୍ୟ ବ୍ୟାପକ ବାଧା ଦେଖାଯାଇଥିଲା।
ଆମେରିକାର ଅଧିକାଂଶ କର୍ମଚାରୀ ବିନା ଦରମାରେ କାମ କରୁଛନ୍ତି। ଏହା ରାଡାର ସେଣ୍ଟର ଏବଂ ଏୟାର ଟ୍ରାଫିକ୍ ନିୟନ୍ତ୍ରଣ ଟାୱାରରେ କର୍ମଚାରୀଙ୍କ ଅଭାବ ସୃଷ୍ଟି କରିଛି। ଏହା ନ୍ୟୁୟର୍କ ସହର ପାଖରେ ପୂର୍ବ ତଟର ଅନେକ ବିମାନବନ୍ଦରରେ ଉଡ଼ାଣ ବାତିଲ ଏବଂ ବିଳମ୍ବର କାରଣ ହୋଇଛି। ଆମେରିକାର ଫେଡେରାଲ୍ ଏଭିଏସନ୍ ପ୍ରଶାସନ (FAA) ଦେଶର ୪୦ଟି ପ୍ରମୁଖ ବିମାନବନ୍ଦରରେ ଉଡ଼ାଣକୁ ପ୍ରତିବନ୍ଧିତ କରିବା ପାଇଁ ଏକ ନିର୍ଦ୍ଦେଶ ଜାରି କରିଛି।
ସଟ୍ ଡାଉନର ପ୍ରଭାବ କେବଳ ଘରୋଇ କାର୍ଯ୍ୟକଳାପ ପର୍ଯ୍ୟନ୍ତ ସୀମିତ ନୁହେଁ। ଆମେରିକାର ସାମରିକ ଘାଟିରେ କାର୍ଯ୍ୟ କରୁଥିବା ୟୁରୋପୀୟ ଦେଶଗୁଡ଼ିକର ସ୍ଥାନୀୟ କର୍ମଚାରୀମାନଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ୁଛି। ଇଟାଲୀ, ପର୍ତ୍ତୁଗାଲ ଏବଂ ଅନ୍ୟାନ୍ୟ ସ୍ଥାନରେ ହଜାର ହଜାର କର୍ମଚାରୀ ବିନା ଦରମାରେ କାର୍ଯ୍ୟ କରୁଛନ୍ତି।