ବଡ଼ ଆତଙ୍କୀ ଯୋଜନା ପଣ୍ଡ: ୨ ଡାକ୍ତର ଗିରଫ

ମେଡିକାଲ କଲେଜରୁ ୩୬୦ କିଲୋ ବିସ୍ଫୋରକ ଦ୍ରବ୍ୟ ଜବତ

ନୂଆଦିଲ୍ଲୀ, ୧୦/୧୧: ଦେଶରେ ଏକ ବଡ଼ ଆତଙ୍କବାଦୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ ହୋଇଛି। ଆତଙ୍କବାଦୀ ଲିଙ୍କରେ ଗିରଫ ହୋଇଥିବା ଜଣେ ଡାକ୍ତରଙ୍କ ସୂଚନା ଆଧାରରେ ଏକ ମେଡିକାଲ କଲେଜରୁ ମିଳିଲା ପୁଳାପୁଳା ବିସ୍ଫୋରକ ସାମଗ୍ରୀ। ଦିଲ୍ଲୀ ସଂଲଗ୍ନ ହରିୟାଣାର ଫରିଦାବାଦରେ ଥିବା ଜଣେ ଡାକ୍ତର କାର୍ଯ୍ୟ କରୁଥିବା ମେଡିକାଲ କଲେଜରେ ଥିବା ତାଙ୍କ ଲକରରୁ ଦୁଇଟି ରାଇଫଲ୍ ଏବଂ ୩୬୦ କିଲୋଗ୍ରାମ ରାସାୟନିକ ପଦାର୍ଥ ଯାହାକୁ ଆମୋନିୟମ୍ ନାଇଟ୍ରେଟ୍ ବୋଲି ଅନୁମାନ କରାଯାଉଛି, ତାହାକୁ ଜବତ କରାଯାଇଛି।

ଜମ୍ମୁ-କାଶ୍ମୀର ପୋଲିସ ଦ୍ବାରା ଏହି ବଡ ପର୍ଦ୍ଦାଫାଶ ହେବା ସହିତ ଭାରତକୁ ଆତଙ୍କୀ ହମଲାରୁ ରକ୍ଷା କରିଛି। ଆତଙ୍କବାଦୀଙ୍କ ଏକ ବଡ଼ ଷଡ଼ଯନ୍ତ୍ର ପଣ୍ଡ କରାଯାଇଛି। ଫରିଦାବାଦର ଅଲ୍ ଫଲାହ ହସ୍ପିଟାଲରେ ଚଢାଉ ସମୟରେ ଡାକ୍ତର ଆଦିଲ୍ ଅହମ୍ମଦ ରାଥରଙ୍କ ଦ୍ୱାରା ଦିଆଯାଇଥିବା ସୂଚନା ଆଧାରରେ ଏହି ଜବତ କରାଯାଇଥିଲା।

ସୂଚନାଯୋଗ୍ୟ, ଶ୍ରୀନଗର ପୋଲିସ ଦ୍ବାରା ନଭେମ୍ବର ୭ ତାରିଖରେ ଗିରଫ ହୋଇଥିଲା ଡାକ୍ତର ଆଦିଲ୍ ଅହମ୍ମଦ ରାଦେର୍। ୟୁପି ସାହାରନପୁରରୁ ଡାକ୍ତର ଆଦିଲଙ୍କୁ ଗିରଫ କରିଥିଲା ପୋଲିସ୍। ନଭେମ୍ବର ୮ ତାରିଖରେ ଅନନ୍ତନାଗରେ ତାଙ୍କ ଘରୁ ବିପୁଳ ପରିମାଣର ବିସ୍ଫୋରକ, ଗୋଟିଏ AK-47, ଦୁଇଟି ପିସ୍ତଲ ଏବଂ ମାଗାଜିନ୍ ଜବତ କରାଯାଇଥିଲା। ଘରୋଇ ଡାକ୍ତରଖାନାରେ କାମ କରି ଆତଙ୍କୀ ଗତିବିଧିରେ ସାମିଲ ଥିଲେ। ଜୈସ୍ ଏ ମହମ୍ମଦ ସହ ଡାକ୍ତର ଆଦିଲଙ୍କ ସଂପୃକ୍ତି ଥିଲା। ଡାକ୍ତର ଆଦିଲଙ୍କୁ ପଚରାଉଚରା ବେଳେ ଫରିଦାବାଦର ଅଲ୍ ଫଲାହ ହସ୍ପିଟାଲରେ ବିସ୍ଫୋରକ ସାମଗ୍ରୀ ଥିବା କହିଥିଲା ଆଦିଲ୍। ଯେଉଁ ସୂଚନା ଆଧାରରେ ଅଲ୍ ଫଲାହ ହସ୍ପିଟାଲରେ ଚଢାଉ ସମୟରେ ଏହି ବିସ୍ଫୋରକ ସାମଗ୍ରୀ ଜବତ କରିଥିଲା ପୋଲିସ୍। ଏହି ମାମଲାରେ ସେହି ହସ୍ପିଟାଲରେ କାର୍ଯ୍ୟରତ ଆଉ ଜଣେ ଡାକ୍ତର, ଡାକ୍ତର ମୁଜାମିଲ୍ ଶକିଲଙ୍କୁ ମଧ୍ୟ ଗିରଫ କରାଯାଇଛି।

ଜବତ ସାମଗ୍ରୀ ମଧ୍ୟରେ ତିନୋଟି ମ୍ୟାଗାଜିନ୍ ଏବଂ ୮୩ଟି ଜୀବନ୍ତ ଗୁଳି, ଗୋଟିଏ ଆସଲ୍ଟ ରାଇଫଲ୍, ଆଠଟି ଜୀବନ୍ତ ଗୁଳି ସହିତ ଗୋଟିଏ ପିସ୍ତଲ, ଦୁଇଟି ଖାଲି କାର୍ଟ୍ରିଜ୍, ଦୁଇଟି ଅତିରିକ୍ତ ମ୍ୟାଗାଜିନ୍, ଆଠଟି ବଡ଼ ସୁଟକେସ୍, ଚାରୋଟି ଛୋଟ ସୁଟକେସ୍ ଏବଂ ବିସ୍ଫୋରକ ରାସାୟନିକ ପଦାର୍ଥ ଥିବା ଏକ କଣ୍ଟେନର ରହିଛି। ବ୍ୟାଟେରୀ ସହିତ ୨୦ଟି ଟାଇମର୍, ୨୪ଟି ରିମୋଟ୍ କଣ୍ଟ୍ରୋଲ୍, ପ୍ରାୟ ପାଞ୍ଚ କିଲୋଗ୍ରାମ ଭାରୀ ଧାତୁ, ୱାକି-ଟକି ସେଟ୍, ବୈଦ୍ୟୁତିକ ତାର, ବ୍ୟାଟେରୀ ଏବଂ ଅନ୍ୟାନ୍ୟ ନିଷିଦ୍ଧ ସାମଗ୍ରୀ ମଧ୍ୟ ଜବତ କରିଛି।