ଦିଲ୍ଲୀ ବିସ୍ଫୋରଣ: ଘଟଣାସ୍ଥଳରୁ 9mm କ୍ୟାଟ୍ରିଜ ଉଦ୍ଧାର

କାରରେ ଥିଲା ୪୦ କିଲୋଗ୍ରାମ ଆମୋନିୟମ ନାଇଟ୍ରେଟ୍

ନୂଆଦିଲ୍ଲୀ, ୧୬/୧୧: ଦିଲ୍ଲୀ ବିସ୍ଫୋରଣ ମାମଲାରେ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଦିନକୁ ଦିନ ତଦନ୍ତ ବଢୁଥିବା ବେଳେ ନୂଆ ନୂଆ ତଥ୍ୟ ମଧ୍ୟ ସାମ୍ନାକୁ ଆସୁଛି। ବିସ୍ଫୋରଣ ଘଟିଥିବା ସ୍ଥାନରେ ଛାନଭିନ ବେଳେ ମିଳିଛି ୩ଟି 9mm କ୍ୟାଟ୍ରିଜ। ଏଥି ମଧ୍ୟରୁ ଦୁଇଟି ଜୀବନ୍ତ ରହିଥିବା ବେଳେ ଗୋଟିଏ ଖାଲି ସେଲ୍ ରହିଛି।

ତେବେ ପ୍ରଶ୍ନ ଉଠୁଛି ଏହି କ୍ୟାଟ୍ରିଜ ଘଟଣାସ୍ଥଳକୁ ଆସିଲା କିପରି? କିଏ ଏହାର ବ୍ୟବହାର କରୁଥିଲା? କାରଣ ସାଧାରଣତଃ 9mm କ୍ୟାଟ୍ରିଜ ବନ୍ଧୁକ ସୁରକ୍ଷାବାହିନୀ ଏବଂ ପୋଲିସମାନେ ବ୍ୟବହାର କରିଥାନ୍ତି। ସାଧାରଣ ଲୋକଙ୍କୁ ଏଭଳି ବନ୍ଧୁକ ପାଇଁ ଲାଇସେନ୍ସ ପ୍ରଦାନ କରାଯାଇନଥାଏ।

ଅନ୍ୟପଟେ ତଦନ୍ତ ବେଳେ ଘଟଣାସ୍ଥଳରୁ କୌଣସି ବନ୍ଧୁକ ମଧ୍ୟ ମିଳିନାହିଁ। ଘଟଣାସ୍ଥଳରେ ସେଦିନ ଉପସ୍ଥିତ ଥିବା ପୋଲିସ କିମ୍ବା କୌଣସି ସୁରକ୍ଷା କର୍ମୀଙ୍କୁ ସେଦିନ ଏଭଳି ଅସ୍ତ୍ର ଦିଆଯାଇନଥିବା ମଧ୍ୟ ପୋଲିସ ସ୍ପଷ୍ଟ କରିଛି। ତେଣୁ ଏହି କ୍ୟାଟ୍ରିଜ କେଉଁଠୁ ଓ କିପରି ଆସିଲା ତାହା ଅସ୍ପଷ୍ଟ ରହିଛି। କିନ୍ତୁ ଏଭଳି ଅସ୍ତ୍ର ଆତଙ୍କୀ ଡାକ୍ତର ଉମର ହିଁ ବ୍ୟବହାର କରୁଥିବା ଅନୁମାନ କରାଯାଉଛି।

ସୂଚନାଯୋଗ୍ୟ, ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ଗେଟ୍ ନମ୍ବର ୧ ନିକଟରେ ବିସ୍ଫୋରଣରେ ୧୩ ଜଣ ପ୍ରାଣ ହରାଇଥିବା ବେଳେ ୨୦ରୁ ଉର୍ଦ୍ଧ୍ଵ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଫରେନସିକ୍ ଦଳଗୁଡ଼ିକ ଘଟଣାସ୍ଥଳରୁ ୪୦ରୁ ଅଧିକ ପ୍ରମାଣ ସଂଗ୍ରହ କରିଛି, ଯେଉଁଥିରେ କାର୍ଟ୍ରିଜ୍, ଜୀବନ୍ତ ଗୁଳି ଏବଂ ବ୍ୟବହୃତ ବିସ୍ଫୋରକର ଅବଶିଷ୍ଟାଂଶ ମିଳିଛି। ତଦନ୍ତରୁ ଜଣାପଡ଼ିଛି ଯେ, କାରରେ ପ୍ରାୟ ୩୦ରୁ ୪୦ କିଲୋଗ୍ରାମ ଆମୋନିୟମ ନାଇଟ୍ରେଟ୍ ଥିଲା‌।