ବାଂଲାଦେଶରେ ଉତ୍ତେଜନା; ହାଇଆଲର୍ଟରେ ପୂରା ଦେଶ

ହିଂସା କଲେ ତୁରନ୍ତ ଗୁଳି କରିବାକୁ ନିର୍ଦ୍ଦେଶ

ଢାକା, ୧୭/୧୧: ବାଂଲାଦେଶର ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବିରୋଧରେ ଆଜି ରାୟ ଆସିବାର ଅଛି। ଇଣ୍ଟରନ୍ୟାସନାଲ କ୍ରାଇମ୍ସ ଟ୍ରିବ୍ୟୁନାଲ୍‌ ଆଜି ତାଙ୍କ ରାୟ ଶୁଣାଇବାକୁ ଯାଉଛନ୍ତି। ଏହା ପୂର୍ବରୁ ବାଂଲାଦେଶର ବିଭିନ୍ନ ସ୍ଥାନରେ ପୋଡ଼ାଜଳା ଏବଂ ହିଂସାକାଣ୍ଡ ଜାରି ରହିଛି। ବିଭିନ୍ନ ସ୍ଥାନରେ ଉତ୍ତେଜନା ବୃଦ୍ଧି ପାଇବା ସହ ବିସ୍ଫୋରଣ ମଧ୍ୟ ହୋଇଛି। ଶେଖ୍ ହାସିନାଙ୍କ ପାର୍ଟି ଆୱାମୀ ଲିଗ୍ ପକ୍ଷରୁ ଦେଶରେ ବନ୍ଦ ପାଳନ ହୋଇଛି।

ତେଣୁ ହାସିନାଙ୍କ ବିରୋଧରେ ରାୟ ଆସିବା ପୂର୍ବରୁ ବାଂଲାଦେଶର ରାଜଧାନୀ ଢାକା ଏବଂ ଦେଶର ଅନ୍ୟାନ୍ୟ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ରାଜଧାନୀ ଢାକାରେ ହିଂସାତ୍ମକ ପ୍ରଦର୍ଶନକାରୀଙ୍କ ଉପରେ ତୁରନ୍ତ ଗୁଳି ଚଳାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ଶେଖ୍ ହାସିନା, ତାଙ୍କ ଗୃହମନ୍ତ୍ରୀ ଅସଦ-ଉଜ-ଜମାନ ଖାନ କମଲ ଏବଂ ତତ୍କାଳୀନ ପୋଲିସ ମହାନିରୀକ୍ଷକ (ଆଇଜିପି) ଚୌଧୁରୀ ଅବଦୁଲ୍ଲା ଅଲ-ମାମୁନଙ୍କ ବିରୋଧରେ ଗତବର୍ଷ ସରକାର ବିରୋଧୀ ପ୍ରତିବାଦ ସମୟରେ ମାନବତା ବିରୋଧୀ ଅପରାଧ ଅଭିଯୋଗ ଆସିଛି। ଏଥିରେ ହତ୍ୟା, ହତ୍ୟା ଉଦ୍ୟମ, ନିର୍ଯାତନା ଏବଂ ଅନ୍ୟାନ୍ୟ ଅମାନବୀୟ କାର୍ଯ୍ୟ ଅନ୍ତର୍ଭୁକ୍ତ। ଏହି ମାମଲାର ସମ୍ପୂର୍ଣ୍ଣ ଶୁଣାଣି ଶେଖ୍ ହାସିନାଙ୍କ ଅନୁପସ୍ଥିତିରେ କରାଯାଇଥିଲା। ଏହି ମାମଲାରେ ସରକାରୀ ପକ୍ଷ ଶେଖ୍ ହାସିନାଙ୍କ ପାଇଁ ମୃତ୍ୟୁଦଣ୍ଡ ଦାବି କରିଛି। ଏ ସମୟରେ ଶେଖ୍ ହାସିନା ବର୍ତ୍ତମାନ ଭାରତରେ ନିର୍ବାସିତ ଅଛନ୍ତି।

ଯଦି ସେ ରାୟର ୩୦ ଦିନ ମଧ୍ୟରେ ଆତ୍ମସମର୍ପଣ କରନ୍ତି କିମ୍ବା ଗିରଫ ନହୁଅନ୍ତି ତାହାଲେ ଶେଖ୍ ହସିନା ସୁପ୍ରିମକୋର୍ଟ ଆପିଲେଟ୍ ଡିଭିଜନରେ ଚ୍ୟାଲେଞ୍ଜ କରିପାରିବେ ନାହିଁ।

ସରକାରୀ ଓକିଲମାନେ ଶେଖ୍ ହସିନାଙ୍କ ପାଇଁ ସର୍ବାଧିକ ଦଣ୍ଡ ସ୍ୱରୂପ, ତାଙ୍କ ସମ୍ପତ୍ତି ଜବତ କରି ଗତ ବର୍ଷର ପ୍ରତିବାଦ ସମୟରେ ମୃତ ଏବଂ ଆହତଙ୍କ ପରିବାରକୁ ବଣ୍ଟନ କରିବାକୁ ଅନୁରୋଧ କରିଛନ୍ତି।

ଏହା ପୂର୍ବରୁ ଶେଖ୍ ହସିନା ଆଗାମୀ କୋର୍ଟ ନିଷ୍ପତ୍ତି ସମ୍ପର୍କରେ ଏକ ବିବୃତ୍ତି ମଧ୍ୟ ଜାରି କରିଛନ୍ତି। ସେ ଏହି ସମସ୍ତ ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି।