ଭୁବନେଶ୍ଵର, ୧୭/୧୧: ଆଉ ନାହାନ୍ତି କଳାକାର ଜଗତର ତାରା ହ୍ୟୁମାନ ସାଗର। ତାଙ୍କ ବିୟୋଗରେ ପୂରା କଳାକାର ଜଗତ ସହ ସାରା ଓଡ଼ିଶା ସ୍ତବ୍ଧ। ତାଙ୍କ ବିୟୋଗ କଳାକାର ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ସେ ଲିଭର ଓ କିଡନୀ ଜନିତ ରୋଗରେ ପୀଡ଼ିତ ଥିଲେ। ତାଙ୍କର ଏକାଧିକ ଅଙ୍ଗ ଅଚଳ ହୋଇଯାଇଥିଲା। ଜୀବନ ସହ ସଂଗ୍ରାମ କରି ଶେଷରେ ଆଜି ରାତି ୯ଟା ୮ରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।
୧୯୯୦ ମସିହା ନଭେମ୍ବର ୨୫ ତାରିଖରେ ବଲାଙ୍ଗୀରର ଟିଟିଲାଗଡ଼ରେ ଜନ୍ମଗ୍ରହଣ କରିଥିବା ହ୍ୟୁମାନଙ୍କ ଗୀତ ପିଢ଼ି ପରେ ପିଢ଼ି ପର୍ଯ୍ୟନ୍ତ ଲୋକଙ୍କ ହୃଦୟରେ ରହିବ।
୨୦୧୨ରୁ ଆରମ୍ଭ ହୋଇ ଯାଇଥିଲା ହ୍ୟୁମାନଙ୍କ ସଙ୍ଗୀତ ଯାତ୍ରା। ରିୟଲିଟି ସୋରୁ ଓଲିଉଡ଼ ଇଣ୍ଡଷ୍ଟ୍ରିରେ ପାଦ ଥାପିଥିଲେ। ସେ ୨୦୧୨ ମସିହାରେ ତରଙ୍ଗ ଟିଭିର “ଭଏସ୍ ଅଫ୍ ଓଡ଼ିଶା ସିଜନ୍ ୨” ର ସଙ୍ଗୀତ ପ୍ରତିଯୋଗିତା ଜିତିଥିଲେ।
ତାଙ୍କ ପାରିବାରିକ ପୃଷ୍ଠଭୂମି ମଧ୍ୟ ସଙ୍ଗୀତ ସହ ଜଡ଼ିତ ଥିଲା। ତାଙ୍କ ବାପା ଜଣେ କଣ୍ଠଶିଳ୍ପୀ ଥିଲେ। ତାଙ୍କ ଜେଜେବାପା ଜଣେ ସଂଗୀତଜ୍ଞ ଥିଲେ।
ତାଙ୍କୁ ତରଙ୍ଗ ସିନେ ପ୍ରଡକ୍ସନ୍ସର ଫିଚର ଫିଲ୍ମ “ଇସ୍କ ତୁ ହି ତୁ” ମାଧ୍ୟମରେ ସୁଯୋଗ ମିଳିଥିଲା, ଯେଉଁଠାରେ ସେ ଅଭିଜିତ ମଜୁମଦାରଙ୍କ ଦ୍ୱାରା ରଚିତ ଟାଇଟଲ୍ ଟ୍ରାକ୍ ଗାଇଥିଲେ। ଯାହା ବହୁତ ହିଟ୍ ହୋଇଥିଲା। ଏହା ପରେ ସେ ଶହ ଶହ ଓଡ଼ିଆ ଚଳଚ୍ଚିତ୍ର ଗୀତ ଗାଇଛନ୍ତି। ସେ ଏକ ହିନ୍ଦୀ ଆଲବମ୍ “ମେରା ୟେ ଜହାଁ” ମଧ୍ୟ ତିଆରି କରିଛନ୍ତି।
କେବଳ ସଙ୍ଗୀତ ନୁହେଁ, ହ୍ୟୁମାନ ଜଣେ ମେଧାବୀ ଛାତ୍ର ମଧ୍ୟ ଥିଲେ। ଛୋଟ ବେଳୁ ଭଲ ପାଠ ପଢୁଥିବା ହ୍ୟୁମାନ କଲେଜ ପାଠପଢ଼ା ପରେ ମେଡ଼ିକାଲ ଏଣ୍ଟ୍ରାନ୍ସ ପାସ୍ ହୋଇ ଏମବିବିଏସରେ ନାଁ ଲେଖାଇଥିଲେ। କିନ୍ତୁ ରୁଚି ଟାଣି ଆଣିଥିଲା ସଙ୍ଗୀତ ଜଗତକୁ। ଯାହା ଫଳରେ ପ୍ରଥମ ବର୍ଷ ଡାକ୍ତରୀ ପଢ଼ା ଛାଡ଼ି ସଙ୍ଗୀତ ଜଗତରେ ପାଦ ଥାପିଥିଲେ। ଏହା ପରେ ସେ ଆଉ ରୋକିନଥିଲେ। ସଙ୍ଗୀତ ଜଗତରେ ଦେଇ ଚାଲିଥିଲେ ଶହ ଶହ ହିଟ୍ ଗୀତ। ଯୁବପିଢିଙ୍କ ଠାରୁ ଆରମ୍ଭ କରି ବୟସ୍କ ସମସ୍ତଙ୍କ ପ୍ରଥମ ପସନ୍ଦ ହ୍ୟୁମାନଙ୍କ ଗୀତ। ଯାହା ଆଜି ନିରବୀ ଯାଇଛି।