ହ୍ୟୁମାନଙ୍କ ବିୟୋଗ ସଙ୍ଗୀତ ଓ ସିନେମା ପାଇଁ ଏକ ଅପୂରଣୀୟ କ୍ଷତି: ମୁଖ୍ୟମନ୍ତ୍ରୀ
ଓଡ଼ିଶା ହରାଇଲା ସଙ୍ଗୀତ ଜଗତର ଜଣେ ଉଜ୍ଜ୍ୱଳ ତାରକା: ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ଵର, ୧୭/୧୧: ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିୟୋଗରେ ସାରା ଓଡ଼ିଶା ସ୍ତବ୍ଧ। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶୋକ ବ୍ୟକ୍ତ କରି କହିଛନ୍ତି, “ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିୟୋଗ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ। ତାଙ୍କର ବିୟୋଗ ଆମ ସଙ୍ଗୀତ ଓ ସିନେମା ପାଇଁ ଏକ ଅପୂରଣୀୟ କ୍ଷତି। ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି।”
ସେହିପରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରି କହିଛନ୍ତି, “ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ଅନେକ ଗୀତରେ କଣ୍ଠଦାନ କରି ବହୁତ କମ ସମୟ ମଧ୍ୟରେ ସେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଥିଲେ। ତାଙ୍କ ବିୟୋଗରେ ଓଡ଼ିଶା; ସଙ୍ଗୀତ ଜଗତର ଜଣେ ଉଜ୍ଜ୍ୱଳ ତାରକାକୁ ହରାଇଲା। ତାଙ୍କ ସ୍ୱରର ଯାଦୁ ସବୁଦିନ ପାଇଁ ଓଡ଼ିଆ ଶ୍ରୋତାଙ୍କ ମନରେ ଅମର ହୋଇ ରହିବ। ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି।”