ସାଲିଆ ସାହିରେ ବୁଲିଲା ବୁଲଡୋଜର: ବସ୍ତିବାସିନ୍ଦାଙ୍କ ଜୋରଦାର ବିରୋଧ

ଉଚ୍ଛେଦ ବେଳେ ମିଳିଲା ହଜାର ହଜାର ଆଧାରକାର୍ଡ

ଭୁବନେଶ୍ଵର, ୧୮/୧୧: ମଙ୍ଗଳବାର ଦିନ ବିଏମସି ଓ ବିଡ଼ିଏ ଦ୍ୱାରା ମିଳିତ ଭାବରେ ସାଲିଆ ସାହିରେ ସରକାରୀ ଜମି ଜବରଦଖଲ ଉଚ୍ଛେଦ ହୋଇଛି। ଆସନ୍ତା ୨୪ ତାରିଖ ଯାଏଁ ପାଖାପାଖି ୫୧୭ ଘର ଉଚ୍ଛେଦ କରିବ ମିଳିତ ଟିମ୍। ଅଭିଯାନକୁ ବିରୋଧ କରି ବାସିନ୍ଦାମାନେ ପ୍ରବଳ ଉତ୍ତେଜନା ସୃଷ୍ଟି କରିଥିଲେ। ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରିଥିଲା।

ଏକାମ୍ର କାନନରୁ ଅନ୍ଧାରୁଆ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ଏହି ରିଙ୍ଗ ରୋଡ ହେଲେ ପ୍ରାୟ ୧୩ କିଲୋମିଟର ଲମ୍ବ ଏହି ପ୍ରସ୍ତାବିତ ରାସ୍ତା ଏହି ଅଞ୍ଚଳରେ ଟ୍ରାଫିକ ଭିଡ଼କୁ କମ କରିବ ବୋଲି ଆଶା କରାଯାଉଛି।

ବିଏମସି, ବିଡିଏ, ୱାଟକୋ, ବିଦ୍ୟୁତ ବିଭାଗ ଏବଂ ପୋଲିସକୁ ନେଇ ଗଠିତ ଏକ ଟିମ୍ ବସ୍ତି ଉଚ୍ଛେଦ ଅଭିଯାନରେ ସାମିଲ ଥିଲେ।

ପୁନର୍ବାସ ଦାବିରେ ଲୋକମାନଙ୍କ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଜେସିବି ଆଗରେ ଧାରଣା ଦେଇ ବସ୍ତିବାସିନ୍ଦା ପ୍ରତିବାଦ କରିଥିଲେ। ପୋଲିସ ପ୍ରାୟ ୩୦ ଜଣଙ୍କୁ ଅଟକ ରଖିଛି।

ସେପଟେ ଉଚ୍ଛେଦ ବେଳେ ମିଳିଛି ହଜାର ହଜାର ଆଧାର କାର୍ଡ। ଏତେ ସଂଖ୍ୟକ ଆଧାର କାର୍ଡ ଗୋଟିଏ ଘର ଭିତରୁ ବାହାରିବା ନେଇ ସମସ୍ତେ ଆଶ୍ଚର୍ଯ୍ୟ। କାହିଁକି ଆଉ କେଉଁ ଉଦ୍ଦ୍ୟେଶରେ ଏହି ଆଧାର କାର୍ଡ ରଖା ଯାଇଥିଲା? ଯାହାକୁ ନେଇ ଉଠିଛି ପ୍ରଶ୍ନ..। ଯେଉଁଠି ବସି ଆନ୍ଦୋଳନ ଚାଲିଥିଲା, ସେହି ଘରୁ ମିଳିଲା ଆଧାର କାର୍ଡ।