ଭାରତ ଉପରେ ‘ଫିଦାୟିନ’ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର

ପାଣ୍ଠି ସଂଗ୍ରହ କରୁଛି ଆତଙ୍କୀ ସଙ୍ଗଠନ: ସୂତ୍ରରୁ ପ୍ରକାଶ

ନୂଆଦିଲ୍ଲୀ, ୧୯/୧୧: ନିକଟରେ ରାଜଧାନୀ ଦିଲ୍ଲୀରେ ଘଟିଥିବା କାର ବୋମା ବିସ୍ଫୋରଣର ତଦନ୍ତ ଜାରି ରହିଛି। ଏହି ଘଟଣା ପରେ ବହୁ ସଂଖ୍ୟକ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ଏହି ମାମଲାର ତଦନ୍ତ କରୁଥିବା ଏଜେନ୍ସିଗୁଡ଼ିକ ଆହୁରି ଗୁରୁତ୍ୱପୂର୍ଣ୍ଣ ସୁରାକ ପାଇଛନ୍ତି।

ସୂତ୍ରରୁ ଜଣା ପଡିଛି ଯେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଭାରତ ବିରୁଦ୍ଧରେ ଏକ ଆତ୍ମଘାତୀ ଟିମ୍ ପ୍ରସ୍ତୁତ କରୁଛି। ଏହି ଟିମ୍ ଭାରତରେ ‘ଫିଦାୟିନ’ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି। ଏଥିପାଇଁ ପାଣ୍ଠି ମଧ୍ୟ ସଂଗ୍ରହ କରାଯାଉଛି।

ପ୍ରାୟ ୨୦ ହଜାର ପାକିସ୍ତାନୀ ଟଙ୍କା ବା ପ୍ରାୟ ୬ ହଜାର ଟଙ୍କା ହେବ ବୋଲି ବିଶ୍ୱାସ କରାଯାଉଛି। ଏହି ଟଙ୍କାରେ ଆକ୍ରମଣ ପରେ ଓ ପୂର୍ବରୁ ଆତଙ୍କବାଦୀଙ୍କ ପାଇଁ ଜୋତା ଏବଂ ଉଲ୍ ମୋଜା, ଗଦି, ତମ୍ବୁ ଭଳି ଜିନିଷ କିଣାଯିବ। ରିପୋର୍ଟ ଅନୁସାରେ, ଡିଜିଟାଲ୍ ମାଧ୍ୟମରେ ପାଣ୍ଠି ଯୋଗାଯାଉଥିବା ପ୍ରକାଶ ପାଇଛି।

ମୌଲାନା ମାସୁଦ ଆଝାର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ମୁଖ୍ୟ, ଯିଏ ଭାରତରେ ଅନେକ ଆତଙ୍କବାଦୀ ଘଟଣା ପାଇଁ ଦାୟୀ। ଅପରେସନ ସିନ୍ଦୁରରେ ଭାରତ ଜୈଶ-ଏ-ମହମ୍ମଦର ଅନେକ ଆଡ୍ଡାଗୁଡ଼ିକୁ ଟାର୍ଗେଟ କରିଥିଲା।

ଜୈଶ-ଏ-ମହମ୍ମଦ ପାକିସ୍ତାନୀ ଡିଜିଟାଲ ଆପ୍ “ସଦାପେ” ପରି ଇ-ୱାଲେଟ୍ ମାଧ୍ୟମରେ ଆତ୍ମଘାତୀ ଟିମ୍ ଗଠନ ପାଇଁ ‌ପାଣ୍ଠି ଯୋଗାଡ କରୁଛି। ଏଥିରେ ମହିଳାମାନଙ୍କୁ ସାମିଲ କରିବା ପାଇଁ ଷଡ଼ଯନ୍ତ୍ର କରାଯାଉଛି। ଏହି ଡିଜିଟାଲ ପାଣ୍ଠି ନେଟୱାର୍କ ଏବଂ ମହିଳାମାନଙ୍କୁ ସାମିଲ କରାଯିବାକୁ ନେଇ ତଦନ୍ତ କରୁଛନ୍ତି ଦେଶର ବିଭିନ୍ନ ତଦନ୍ତକାରୀ ଏଜେନ୍ସି।