୨୦୦ ଭାରତୀୟଙ୍କୁ ନିର୍ବାସିତ କଲା ଆମେରିକା

ଗ୍ୟାଙ୍ଗଷ୍ଟର ଅନମୋଲ ବିଷ୍ଣୋଇ ବି ସେଥିରେ ସାମିଲ

ନୂଆଦିଲ୍ଲୀ, ୧୯/୧୧: ଆମେରିକା ୨୦୦ ଜଣ ଭାରତୀୟ ନାଗରିକଙ୍କୁ ନିର୍ବାସିତ କରିଛି। ଯେଉଁଥିରେ ଏନସିପି ନେତା ବାବା ସିଦ୍ଦିକଙ୍କ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ଅନମୋଲ ବିଷ୍ଣୋଇଙ୍କୁ ମଧ୍ୟ ଭାରତକୁ ପଠାଯାଇଛି। ଏଥିରେ ପଞ୍ଜାବର ଦୁଇ ଜଣ ପଳାତକ ଓ ୧୯୭ ଜଣ ଅବୈଧ ପ୍ରବାସୀ ଅଛନ୍ତି।

ନିର୍ବାସିତ ଭାରତୀୟଙ୍କୁ ଆଣି ଆମେରିକାରୁ ବିମାନଟି ନଭେମ୍ବର ୧୯ ତାରିଖରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବ।

ବାବା ଇଦ୍ଦିକଙ୍କ ହତ୍ୟା ମାମଲାରେ ଅନମୋଲ ବିଷ୍ଣୋଇଙ୍କ ନାଁ ରହିଥିବା ବେଳେ, ସେ ଏପ୍ରିଲ ୨୦୨୪ ରେ ବଲିଉଡ ଷ୍ଟାର ସଲମାନ ଖାନଙ୍କ ବାସଭବନ ‘ଗାଲାକ୍ସି’ ଉପରେ ଗୁଳିକାଣ୍ଡ ସହ ଜଡିତ ମାମଲାରେ ମଧ୍ୟ ଜଡିତ।

ରିପୋର୍ଟ ଅନୁଯାୟୀ, ସେ ଏପ୍ରିଲ ୨୦୨୨ରେ ଏକ ନକଲି ପାସପୋର୍ଟ ବ୍ୟବହାର କରି ଭାରତରୁ ପଳାଇ କାନାଡା ଏବଂ ଆମେରିକାରେ ରହୁଥିଲେ। ଗତ ବର୍ଷ ତାଙ୍କୁ ଅଟକ ରଖାଯାଇଥିଲା। ତାଙ୍କ ପାଖରେ ଏକ ନକଲି ଡକ୍ୟୁମେଣ୍ଟ ଆଧାରରେ ଏକ ରୁଷିଆନ୍ ପାସପୋର୍ଟ ଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକଙ୍କୁ ୧୨ ଅକ୍ଟୋବର ୨୦୨୪ ରାତିରେ ତାଙ୍କ ପୁଅ ଜିଶାନଙ୍କ ବାନ୍ଦ୍ରାସ୍ଥିତ କାର୍ଯ୍ୟାଳୟ ସମ୍ମୁଖରେ ଗୁଳି କରି ହତ୍ୟା କରାଯାଇଥିଲା। ଜେଲରେ ଥିବା ଅନମୋଲଙ୍କ ବଡ଼ ଭାଇ ଲରେନ୍ସ ବିଷ୍ଣୋଇଙ୍କ ଗ୍ୟାଙ୍ଗ ସହ ଜଡିତ ଅନେକ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା।