ନୂଆଦିଲ୍ଲୀ, ୨୪/୧୧: ଦେଶର ୫୩ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି ଜଷ୍ଟିସ ସୂର୍ଯ୍ୟକାନ୍ତ। ଜଷ୍ଟିସ ବିଆର ଗଭାଇ ନଭେମ୍ବର ୩୦ରେ ଅବସର ଗ୍ରହଣ କରିବା ପରେ ଆଜି ତାଙ୍କ ସ୍ଥାନରେ ଅଧିକୃତ ହୋଇଛନ୍ତି ଜଷ୍ଟିସ ସୂର୍ଯ୍ୟକାନ୍ତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଜଷ୍ଟିସ କାନ୍ତଙ୍କୁ ପଦ ଓ ଗୋପନୀୟତାର ସହ ଶପଥ ପାଠ କରାଇଛନ୍ତି। ସେ ୧୪ ମାସ ପାଇଁ ଅର୍ଥାତ୍ ଫେବୃଆରୀ ୯, ୨୦୨୭ ପର୍ଯ୍ୟନ୍ତ କାର୍ଯ୍ୟ କରିବେ।
ଏହି ଶପଥ ଗ୍ରହଣ ଉତ୍ସବରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହ, ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା, ପୂର୍ବତନ ରାଷ୍ଟ୍ରପତି ରାମନାଥ ଗୋବିନ୍ଦ ଓ ଉପରାଷ୍ଟ୍ରପତି ଜଗଦୀପ ଧନଖଡ ପ୍ରମୁଖ ଉପସ୍ଥିତ ଥିଲେ।
୧୯୬୨ ମସିହା ଫେବୃଆରୀ ୧୦ରେ ହରିୟାଣାର ଏକ ଛୋଟ ଗାଁରେ ଜନ୍ମଗ୍ରହଣ କରିଥିବା ଜଷ୍ଟିସ୍ ସୂର୍ଯ୍ୟକାନ୍ତ ହରିଆଣାରୁ ଆସିଥିବା ପ୍ରଥମ ପ୍ରଧାନ ବିଚାରପତି ହୋଇଛନ୍ତି। ସେ ୨୦୧୧ ମସିହାରେ କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ସୁପ୍ରିମକୋର୍ଟରେ ନିଯୁକ୍ତ ହେବା ପୂର୍ବରୁ ସେ ୫ ଅକ୍ଟୋବର ୨୦୧୮ ରୁ ହିମାଚଳ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ କାର୍ଯ୍ୟ କରିଥିଲେ। ୨୪ ମେ ୨୦୧୯ରେ ସେ ସୁପ୍ରିମକୋର୍ଟର ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ।