ମୁମ୍ବାଇ, ୨୪/୧୧: ବଲିଉଡ଼ର ବର୍ଷୀୟାନ ଅଭିନେତା ଧର୍ମେନ୍ଦ୍ର ଦେଓଲଙ୍କର ପରଲୋକ ଘଟିଛି। ମୁମ୍ବାଇସ୍ଥିତ ବାସଭବନରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା।
ସେ ପୂର୍ବରୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। କିଛି ଦିନ ଧରି ଚିକିତ୍ସିତ ସେବା ପରେ ହସ୍ପିଟାଲରୁ ଡିସଚାର୍ଜ କରି ଦିଆଯାଇଥିଲା। ହେଲେ ସେ ଘରେ ହିଁ ଚିକିତ୍ସାଧୀନ ଥିଲେ।
ସୂଚନାଯୋଗ୍ୟ, ଗତ କିଛି ଦିନ ଧରି ଧର୍ମେନ୍ଦ୍ର ଅସୁସ୍ଥ ଥିଲେ। ଗତ ନଭେମ୍ବର ୧ ତାରିଖରେ ରୁଟିନ ଚେକ୍-ଅପ୍ ପାଇଁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହା ପରେ ଅବସ୍ଥା ଗୁରୁତର ହେବାରୁ ଭେଣ୍ଟିଲେଟରରେ ଥିଲେ। ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଓ ଶ୍ଵାସକ୍ରିୟାରେ କଷ୍ଟ ଅନୁଭବ ହୋଇଥିଲା। ଏହା ପରେ ତାଙ୍କର ମୃତ୍ୟୁ ଖବର ମଧ୍ୟ ପ୍ରସାରିତ ହୋଇଥିଲା। ଯାହାକୁ ପରିବାର ପକ୍ଷରୁ ଖଣ୍ଡନ କରାଯାଇଥିଲା। ବର୍ତ୍ତମାନ ତାଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।
ଧର୍ମେନ୍ଦ୍ରଙ୍କ ଶେଷ ଦର୍ଶନ ପାଇଁ ଶ୍ମଶାନ ଘାଟରେ ସେଲିବ୍ରିଟିଙ୍କ ଭିଡ଼ ଲାଗିଛି। ମୁମ୍ବାଇ ଭିଲେ ପାର୍ଲେ ସ୍ଥିତ ଶ୍ମଶାନ ଘାଟରେ ସେଲିବ୍ରିଟିଙ୍କ ପ୍ରବଳ ଭିଡ଼ ଦେଖାଦେଇଛି। ପହଞ୍ଚିଛନ୍ତି ଅମିତାଭ ବଚନ ଓ ପୁଅ ଅଭିଷେକ ବଚନ।
୧୯୩୫ ମସିହା ଡିସେମ୍ବର ୫ରେ ପଞ୍ଜାବର ଲୁଧିଆନା ଜିଲ୍ଲାରେ ସେ ଜନ୍ମଗ୍ରହଣ କରିଥିଲେ। ୧୯୬୦ରେ ‘ଦିଲ୍ ଭି ତେରା ହମ୍ ଭି ତେରା’ ଚଳଚ୍ଚିତ୍ରରେ ଡେବ୍ୟୁ କରିଥିଲେ। ସେ ଅନେକ ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିଲେ। ଦୀର୍ଘ ୭ ଦଶନ୍ଧିର କ୍ୟାରିୟରରେ ୩୦୦ରୁ ଉର୍ଦ୍ଧ୍ବ ଫିଲ୍ମରେ ଅଭିନୟର ଛାପ ଛାଡିଥିଲେ। ତାଙ୍କୁ ବଲିଉଡ଼ର ‘ହି-ମ୍ୟାନ’ ବୋଲି କୁହାଯାଉଥିଲା। ୨୦୧୨ରେ ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେ ଦାଦା ସାହେବ ଫାଲକେ ସମ୍ମାନ ମଧ୍ୟ ପାଇଥିଲେ।