ପଞ୍ଚଭୂତରେ ବିଲୀନ ହେଲେ ଧର୍ମେନ୍ଦ୍ର

ବଡ଼ ପୁଅ ଦେଲେ ମୁଖାଗ୍ନି

ମୁମ୍ବାଇ, ୨୪/୧୧: ବଲିଉଡର ‘ହି-ମ୍ୟାନ୍’, କିମ୍ବଦନ୍ତୀ ଅଭିନେତା ଧର୍ମେନ୍ଦ୍ର ନଭେମ୍ବର ୨୪ ତାରିଖରେ ମୁମ୍ବାଇସ୍ଥିତ ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଧର୍ମେନ୍ଦ୍ର ଜୁହୁସ୍ଥିତ ତାଙ୍କ ଘରେ ଥିଲେ।

ରିପୋର୍ଟ ଅନୁଯାୟୀ, କିଛି ଦିନ ପୂର୍ବରୁ ତାଙ୍କ ମୃତ୍ୟୁକୁ ନେଇ ସୃଷ୍ଟି ହୋଇଥିବା ଗୁଜବ ଯୋଗୁଁ ପରିବାର ଗୁପ୍ତ ଭାବରେ ତାଙ୍କର ଅନ୍ତିମ ସଂସ୍କାର କରିଥିବା ଜଣାପଡ଼ିଛି। ଧର୍ମେନ୍ଦ୍ରଙ୍କ ବଡ଼ ପୁଅ ସନି ଦେଓଲ ତାଙ୍କ ମୁଖାଗ୍ନି ଦେଇଛନ୍ତି। ଅଭିନେତାଙ୍କ ପ୍ରଶଂସକମାନେ ତାଙ୍କର ଶେଷ ଝଲକ ଦେଖିପାରି ନଥିଲେ। କିନ୍ତୁ ଶ୍ମଶାନ ଘାଟରେ ଅନେକ ବଲିଉଡ୍ ସେଲିବ୍ରିଟି ଶେଷ ଶ୍ରଦ୍ଧାଞ୍ଜଳି ଦେବାକୁ ପହଞ୍ଚିଥିଲେ। ଜୁହୁର ପବନ ହଂସ ଶ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ କରାଯାଇଥିଲା।

ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ ଏବଂ ଅଗସ୍ତ୍ୟ ନନ୍ଦା ପ୍ରଥମେ ପହଞ୍ଚିଥିବା ବେଳେ ସଲମାନ ଖାନ, ସଲିମ ଖାନ, ଆମିର ଖାନ, ସଞ୍ଜୟ ଦତ୍ତ, ରଣବୀର ସିଂହ, ଦୀପିକା ପାଦୁକୋନଙ୍କ ସମେତ ଅନ୍ୟ ସେଲିବ୍ରିଟିମାନେ ମଧ୍ୟ ଶେଷ ଶ୍ରଦ୍ଧାଞ୍ଜଳି ଦେବାକୁ ଆସିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରକାଶ କରିଛନ୍ତି, “ଭାରତୀୟ ସିନେମାର ଏକ ଯୁଗର ଅନ୍ତଃ ଘଟିଛି। ସେ ଜଣେ ଅସାଧାରଣ ଅଭିନେତା ଥିଲେ, ପ୍ରତ୍ୟେକ ଚରିତ୍ର ଆକର୍ଷଣ ଭରି ଦେଇଥିଲା। ତାଙ୍କର ବିବିଧ ଚରିତ୍ରଗୁଡ଼ିକ ଅପାର ଲୋକଙ୍କ ହୃଦୟ ସ୍ପର୍ଶ କରିଥିଲା। ନିଜର ସରଳତା, ନମ୍ରତା ପାଇଁ ମଧ୍ୟ ସମାନ ଭାବରେ ପ୍ରଶଂସିତ ଥିଲେ।”

ବର୍ଷିୟାନ ଅଭିନେତା ଧର୍ମେନ୍ଦ୍ରଙ୍କ ପରଲୋକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୋକ ପ୍ରକାଶ କରିଛନ୍ତି। “ଧର୍ମେନ୍ଦ୍ରଙ୍କ ଦେହାନ୍ତ ଭାରତୀୟ ସିନେମା ପାଇଁ ଅପୂରଣୀୟ କ୍ଷତି। ଦଶନ୍ଧି ଦଶନ୍ଧିର ଲମ୍ବା କ୍ୟାରିୟରର ଅଭିନୟ ସ୍ମରଣୀୟ ହୋଇ ରହିବ। ସେ ଯେଉଁ ଉତ୍ତରାଧିକାରୀ ଛାଡ଼ି ଯାଇଛନ୍ତି ପର ପିଢ଼ି ପାଇଁ ପ୍ରେରଣା ଦେବ।”