ବାପାଙ୍କୁ ଚାପି ଦେଲା ପୁଅ ବର ଗାଡି

ଶୋକାକୁଳ ପରିବେଶ ଭିତରେ ବାହା ହୋଇ ଫେରିଲେ ପୁଅ

ବାହାଘର ଶୋଭାଯାତ୍ରା ପାଲଟିଲା ଶେଷ ଯାତ୍ରା

ପାଟଣାଗଡ଼, ୨୬/୧୧: ପୁଅ ବାହାଘର ପାଇଁ ଭାରି ଖୁସି ଥିଲେ ବାପା। ଧୁମଧାମରେ ପୁଅର ବାହାଘର ସାରି ସାଥିରେ ବୋହୂକୁ ନେଇ ଘରକୁ ଫେରିଥାନ୍ତେ। ହେଲେ, ତା’ ପୂର୍ବରୁ ଘଟିଗଲା ବଡ଼ ଅଘଟଣ। ବାହାଘର ଶୋଭାଯାତ୍ରାରେ ହିଁ ଛକି ବସିଥିଲା ଯମ। ଯେଉଁ ପୁଅର ବାହାଘରରେ ଶୋଭାଯାତ୍ରାରେ ଆସିଥିଲେ, ସେହି ପୁଅର ବରଂ ଗାଡ଼ି ହିଁ ଜୀବନ ନେଲା। ଏଭଳି ଅଘଟଣ ଘଟିଛି ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ମଣ୍ଡଳ ଗାଁରେ।

ପୁଅ ବାହା କରିବାକୁ ବରଯାତ୍ରୀ ନେଇ ଆସିଥିବା ବାପାଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ବାହାଘର ଶୋଭାଯାତ୍ରା ବେଳେ ବର ବେଶରେ ପୁଅ ବସିଥିବା କାର୍‌ ବାପାଙ୍କ ଉପରେ ମାଡ଼ିଯିବାରୁ ଜୀବନ ଗଲା। କନ୍ୟା ପକ୍ଷର ଭାଇ ମଧ୍ୟ କାର ଚକା ତଳେ ଚାପି ହୋଇ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ଗତକାଲି ରାତିରେ ପୁଅର ବାହାଘର ଶୋଭାଯାତ୍ରାରେ ଆଗେ ଆଗେ ଚାଲିଥିଲେ ଚୈତନ୍ୟ ବାଗ। ହେଲେ ହଠାତ୍ ତାଙ୍କ ଗାଡ଼ି ଚଢ଼ି ଯିବାରୁ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ସ୍ଥାନୀୟ ବେଲପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଗୋଟିଏ ପଟେ ଘରକୁ ବୋହୂ ଆସିବା ଖୁସିରେ ପରିବାର ମସଗୁଲ ଥିବା ବେଳେ ଅନ୍ୟପଟେ ଘରର ମୂରବୀଙ୍କୁ ହରାଇ ଶୋକାକୁଳ ପରିବାର। ଶବ ଗୃହରେ ବାପାଙ୍କ ମର ଶରୀର ଥିବା ବେଳେ ବାହା ହୋଇ ଦୁଃଖରେ ଘରକୁ ଫେରିଛନ୍ତି ପୁଅ।