ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲା: ଥାନାରେ ଏତଲା ଦେଲେ ଚଳଚ୍ଚିତ୍ର ନିର୍ଦ୍ଦେଶକ

ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କଲେ

କଟକ, ୨୬/୧୧: ଓଲିଉଡ଼ର ଦିବଙ୍ଗତ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ତଦନ୍ତ କରିବା ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦାବି ଉଠୁଛି। ଆଜି ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ ପାଇଁ ଥାନାରେ ଏତଲା ଦେଇଛନ୍ତି ଚଳଚ୍ଚିତ୍ର ନିର୍ଦ୍ଦେଶକ ଜିତୁ ରାଉତ। ମଧୁପାଟଣା ଥାନାରେ ଏତଲା ଦାୟର କରିଛନ୍ତି। ଏତଲାରେ ଦିନେଶ, ପ୍ରଶାନ୍ତଙ୍କ ସହ ମହିଳା କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀଙ୍କ ନାଁରେ ମାମଲା ରୁଜୁ କରିଛନ୍ତି। ଏହି ୩ ଜଣ ସହଯୋଗୀଙ୍କ ଭୂମିକାକୁ ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଲିଖିତ ଅଭିଯୋଗରେ ଦାବି କରିଛନ୍ତି। ହ୍ୟୁମାନଙ୍କ ଆର୍ଥିକ କାରବାର, ଚିକିତ୍ସାର ତଦନ୍ତ ଦାବି କରିବା ସହ ବିପୁଳ ଅର୍ଥ ହେରଫେର ହୋଇଥିବା ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ଗତ ନଭେମ୍ବର ୧୭ ତାରିଖରେ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ସେ ଲିଭ୍ ଓ କିଡନୀ ଜନିତ ରୋଗରେ ପୀଡ଼ିତ ଥିଲେ। କିନ୍ତୁ ତାଙ୍କର ମୃତ୍ୟୁ ପରେ ବିବାଦ ବଢ଼ିବାରେ ଲାଗିଛି। ଅନେକ ସଂଗଠନ ତାଙ୍କ ମୃତ୍ୟୁର ତଦନ୍ତ ଦାବି କରିଛନ୍ତି।