ଆସନ୍ତାକାଲି ବିଧାନସଭାର ଶୀତକାଳୀନ ଅଧିବେଶନ

ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲିବାକୁ ନେଇ ସର୍ବଦଳୀୟ ବୈଠକରେ ସହଯୋଗ ଲୋଡ଼ିଲେ ବାଚସ୍ପତି

ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ରଣନୀତି ପ୍ରସ୍ତୁତ, ଶାସକ ଦଳ ବି କାଉଣ୍ଟର ପାଇଁ ରେଡ୍ଡୀ

ଭୁବନେଶ୍ଵର, ୨୬/୧୧: ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଯାଉଛି ବିଧାନସଭାର ଶୀତକାଳୀନ ଅଧିବେଶନ। ଏହା ପୂର୍ବରୁ ଆଜି ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିଲା ସର୍ବଦଳୀୟ ବୈଠକ। ଶୀତ ଅଧିବେଶନ ସୁରୁଖୁରୁରେ ଚାଲିବାକୁ ନେଇ ସର୍ବଦଳୀୟ ବୈଠକରେ ଆଲୋଚନା ହୋଇଥିଲା।

ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ୍ ଏବଂ ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଅଧିବେଶନ ସ୍ୱାଭାବିକ ଭାବେ ଚାଲିବାକୁ ନେଇ ବାଚସ୍ପିତ ଗୁରୁତ୍ୱ ଦେଇଛନ୍ତି। ଶାସକ ଓ ବିରୋଧୀ ଦଳ ବିଧାୟକଙ୍କ ସହ ଆଲୋଚନା କରିଛନ୍ତି। ଏଥି ସହ ଶାସକ ଦଳ ଭଳି ବିରୋଧୀ ଦଳକୁ ମଧ୍ୟ ସମାନ ସମୟ ଦେବାକୁ ଦାବି କରିଥିଲେ ବିରୋଧୀ ଦଳ।

ସେହିପରି ଆଜି ସନ୍ଧ୍ୟାରେ ବସିବ ବିଜେପି ବିଧାୟକ ଦଳ ବୈଠକ। ବିରୋଧୀଙ୍କୁ କାଉଣ୍ଟର କରିବାକୁ ପ୍ରସ୍ତୁତ ହେବ ରଣନୀତି। ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧୀ ଦଳ ବିଜେଡ଼ି ଓ କଂଗ୍ରେସ ମଧ୍ୟ ରଣନୀତି ପ୍ରସ୍ତୁତ କରିଛନ୍ତି। ବିଶେଷ କରି ଚାଷ ଓ ଚାଷୀ ସମସ୍ୟା, ନାରୀ ନିର୍ଯାତନା, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ବଜେଟ୍ ଅର୍ଥ ଖର୍ଚ୍ଚ କରି ନପାରିବାକୁ ନେଇ ସରକାରଙ୍କୁ ଘେରିବେ ବିରୋଧୀ।

ସୂଚନାଯୋଗ୍ୟ, ଚଳିତ ଶୀତକାଳୀନ ଅଧିବେଶନ ନଭେମ୍ବର ୨୭ରୁ ଆରମ୍ଭ ହୋଇ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ।

ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରଖିବେ ଅଭିଭାଷଣ। ଯାହା ଓଡ଼ିଶା ଇତିହାସରେ ପ୍ରଥମ ଥର ହେବାକୁ ଯାଉଛି। ଦ୍ୱିତୀୟ ଦିନ ଗୃହରେ ଦ୍ୱିତୀୟ ଦିନ ଅତିରିକ୍ତ ବଜେଟ୍ ଆସିବ।