ମେସିଙ୍କୁ ଦେଖିବାକୁ ପ୍ରବଳ ହଙ୍ଗାମା, ଅଧାବାଟରୁ ଫେରିଗଲେ ମମତା

ଆସିଲେନି ଶାହାରୁଖ, ଷ୍ଟାଡିୟମରେ ଭଙ୍ଗାରୁଜା କଲେ ଦର୍ଶକ

କୋଲକାତା, ୧୩/୧୨: ବିଶ୍ୱର ସର୍ବଶ୍ରେଷ୍ଠ ଫୁଟବଲ ଖେଳାଳୀ ଲିଓନେଲ୍ ମେସି ବର୍ତ୍ତମାନ ଭାରତ ଗସ୍ତରେ ଅଛନ୍ତି। ପ୍ରଥମ ଦିନରେ ସେ କୋଲକାତାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ତେବେ ମେସିଙ୍କ ଏହି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି ଉତ୍ତେଜନା ମୂଳକ ପରିସ୍ଥିତି।

କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମରେ ତାଙ୍କର ୭୦ ଫୁଟ ଉଚ୍ଚ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି। ଏହି ଅବସରରେ ତାଙ୍କୁ ଦେଖିବାକୁ ପ୍ରବଳ ଭିଡ଼ ଜମିଥିଲା। ମେସି ଗ୍ରାଉଣ୍ଡରେ ପହଞ୍ଚିବା ମାତ୍ରେ ଭିଡ଼ ପ୍ରବଳ ହୋଇଗଲା। କାର୍ଯ୍ୟକ୍ରମ ସାରି ସେ ମାତ୍ର ୧୦ ମିନିଟ୍ ପରେ ସେଠାରୁ ଚାଲିଗଲେ। ଯାହାକୁ ନେଇ ପ୍ରଶଂସକମାନଙ୍କ ମଧ୍ୟରେ କ୍ରୋଧ ସୃଷ୍ଟି କରିଥିଲା।

ମେସି ପ୍ରଶଂସକମାନେ ତାଙ୍କୁ ଦେଖିବା ପାଇଁ ପ୍ରବଳ ଉତ୍ସାହର ଅପେକ୍ଷା କରିଥିବା ବେଳେ ଏତେ କମ୍ ସମୟ ଭିତରେ ପ୍ରଶଂସକମାନେ ଭେଟି ପାରିନଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ। ମେସିଙ୍କ ସହ ସାକ୍ଷାତ ଓ ସେଲଫି ନେବାକୁ ସୁଯୋଗ ନ ମିଳିବାରୁ ତାତିଲେ ଦର୍ଶକ।

ମେସି ଯେଉଁ ୧୦ ମିନିଟ୍ ରହିଥିଲେ, ସେହି ସମୟରେ ନେତା ଓ ମନ୍ତ୍ରୀ ତାଙ୍କୁ ଘେରି ରହିଥିଲେ। ଯାହା ପରେ ଷ୍ଟାଡିୟମ ଭିତରକୁ ଧସେଇ ପଶିଥିଲେ ସମର୍ଥକ। ସୁରକ୍ଷା ବ୍ୟବସ୍ଥା ପାଇଁ ଥିବା ବ୍ୟାରିକେଡ଼ ଭାଙ୍ଗି ଧସେଇ ପଶିଥିଲେ। ସେଲିବ୍ରେଶନ ପାଇଁ ସଜେଇ ହୋଇଥିବା ଟେଣ୍ଟକୁ ମଧ୍ୟ ଉପାଡ଼ି ଫିଙ୍ଗି ଦେଇଥିଲେ। ଷ୍ଟାଡିୟମ ଭିତରକୁ ଚେୟାର ଓ ବୋତଲ ଫିଙ୍ଗିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ସମର୍ଥକମାନେ ଅଭିଯୋଗ କରିଛନ୍ତି ଯେ, ସେମାନଙ୍କୁ ଶାହାରୁଖ ଖାନ୍ ଆସିବେ ବୋଲି କୁହାଯାଇଥିଲା। କିନ୍ତୁ ସେ ଆସିନଥିଲେ। ଷ୍ଟାଡିୟମରେ ପ୍ରବେଶ ପାଇଁ ଟିକେଟ ଦର ୫୦୦୦ ଟଙ୍କାରୁ ୧୨୦୦୦ ଟଙ୍କା ପର୍ଯ୍ୟନ୍ତ ଥିଲା। ଏତେ ମୂଲ୍ୟର ଟିକେଟ କିଣି ମେସିଙ୍କୁ ଦେଖି ନପାରିବାରୁ ପ୍ରବଳ ହଙ୍ଗାମା କରିଛନ୍ତି ସମର୍ଥକ।

ସବୁଠୁ ବଡ଼ କଥା ହେଉଛି, ପ୍ରବଳ ଅସନ୍ତୋଷ ମଧ୍ୟରେ ଷ୍ଟାଡିୟମରେ ପହଞ୍ଚି ପାରିନାହାନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ ଅଧା ବାଟରୁ ଫେରି ଯାଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଲିଓନେଲ ମେସି ତାଙ୍କର ତିନି ଦିନିଆ ଭାରତ ଗସ୍ତରେ ଥିବା ବେଳେ ଡିସେମ୍ବର ୧୩ ତାରିଖ ଭୋର ପ୍ରାୟ ୩:୦୦ ଟା ସମୟରେ କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବିମାନବନ୍ଦରରେ ଅବତରଣ କରିଥିଲେ। ବିମାନବନ୍ଦରରେ ସେ ଉପସ୍ଥିତ ହେବା ମାତ୍ରେ ପ୍ରଶଂସକମାନେ ତାଙ୍କର ଏକ ଝଲକ ପାଇବା ପାଇଁ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ପ୍ରଶଂସକମାନେ ବହୁତ ଖୁସି ହୋଇ “ମେସି, ମେସି!” ନାରା ଦେଇଥିଲେ। ତା’ପରେ ମେସି ତାଙ୍କ ହୋଟେଲକୁ ଯାଇଥିଲେ। ସେଠାରୁ, ସଲ୍ଟ ଲେକ୍ ଷ୍ଟାଡିୟମ ଯାଇଥିଲେ। ଏହା ପୂର୍ବରୁ ସେ ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ ଏବଂ RPGS ଗ୍ରୁପ୍ ମାଲିକ ସଞ୍ଜିବ ଗୋଏଙ୍କାଙ୍କୁ ଭେଟିଛନ୍ତି।