ହାଇଦ୍ରାବାଦ, ୧୬/୧୨: ସିଡନୀର ବଣ୍ଡି ବିଚ୍ ଗୁଳିକାଣ୍ଡରେ ଭାରତ ଲିଙ୍କ୍ ଥିବା ସାମନାକୁ ଯାଇଛି। ଗୁଳିକାଣ୍ଡରେ ଜଡିତ ଜଣେ ଗୁଳିଚାଳକ ସାଜିଦ ଆକ୍ରମ ମୂଳତଃ ହାଇଦ୍ରାବାଦର ବୋଲି ଜଣା ପଡ଼ିଥିଲା। ସେ ୧୯୯୮ ମସିହାରେ ଅଷ୍ଟ୍ରେଲିଆ ଚାଲିଯାଇଥିଲେ। ସାଜିଦ ତାଙ୍କ ପୁଅ ନାଭିଦ ଆକ୍ରମଙ୍କ ସହ ରବିବାର ଦିନ ୧୫ ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରିଥିଲେ।
ହନୁକ୍କା ପାଳନ କରୁଥିବା ଇହୂଦୀମାନଙ୍କୁ ଟାର୍ଗେଟ କରି ସେ ଏହି ଗୁଳି ଚାଳନା କରିଥିଲେ। ସାଜିଦଙ୍କ ପାଖରେ ଭାରତୀୟ ପାସପୋର୍ଟ ଥିଲା, କିନ୍ତୁ ତାଙ୍କ ପୁଅ ଜଣେ ଅଷ୍ଟ୍ରେଲୀୟ ନାଗରିକ। ପୋଲିସ ଗୁଳିରେ ସାଜିଦଙ୍କ ମୃତ୍ୟୁ ହୋଇଥିବା ବେଳେ ନାଭିଦ ଗୁରୁତର ଗୁଳିରେ ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।
ତେଲେଙ୍ଗାନା ପୋଲିସ ଡିଜିପିଙ୍କ ଏକ ପ୍ରେସ ନୋଟରେ କୁହାଯାଇଛି ଯେ ସାଜିଦ ଏବଂ ନାଭିଦଙ୍କ ମୌଳବାଦୀ ସହିତ ଭାରତ କିମ୍ବା ତେଲେଙ୍ଗାନାର କୌଣସି ସମ୍ପର୍କ ନାହିଁ। ୧୯୯୮ ମସିହାରେ ଭାରତ ଛାଡିବା ପୂର୍ବରୁ ସାଜିଦ ଆକ୍ରମଙ୍କ ଭାରତରେ ରହିବା ସମୟରେ ତାଙ୍କ ବିରୋଧରେ କୌଣସି ଅପରାଧିକ ରେକର୍ଡ ନଥିଲା। ୨୭ ବର୍ଷ ମଧ୍ୟରେ ମାତ୍ର ଛଅ ଥର ଭାରତ ଆସିଥିଲେ।
ସାଜିଦ ଅଷ୍ଟ୍ରେଲିଆରେ ସ୍ଥାୟୀ ଭାବରେ ରହିବା ପୂର୍ବରୁ ୟୁରୋପୀୟ ବଂଶୋଦ୍ଭବ ଜଣେ ଖ୍ରୀଷ୍ଟିଆନ ମହିଳା ଭେନେରା ଗ୍ରୋସୋଙ୍କୁ ବିବାହ କରିଥିଲେ। ନାଭିଦଙ୍କ ବ୍ୟତୀତ ତାଙ୍କର ଏକ ଝିଅ ମଧ୍ୟ ଅଛି।
ସାଜିଦ ଆକ୍ରମଙ୍କ ପାଖରେ ଏବେ ବି ଭାରତୀୟ ପାସପୋର୍ଟ ଅଛି। କିନ୍ତୁ ତାଙ୍କ ପୁଅ ଏବଂ ଝିଅ ଅଷ୍ଟ୍ରେଲିଆରେ ଜନ୍ମଗ୍ରହଣ କରିଛନ୍ତି। ସେମାନେ ଅଷ୍ଟ୍ରେଲିଆର ନାଗରିକ।
ସାଜିଦ ଆକ୍ରମଙ୍କ ପରିବାର ସଦସ୍ୟ ଗଣମାଧ୍ୟମକୁ କହିଛନ୍ତି ଯେ ୧୯୯୮ରେ ସାଜିଦ ଛାତ୍ର ଭିସାରେ ଅଷ୍ଟ୍ରେଲିଆ ଚାଲି ଯାଇଥିଲେ। ସେମାନେ ବହୁ ବର୍ଷ ପୂର୍ବରୁ ତାଙ୍କ ସହିତ ସମ୍ପର୍କ ଛିନ୍ନ କରିଥିଲେ। କାରଣ ସେ ଜଣେ ଖ୍ରୀଷ୍ଟିଆନ ମହିଳାଙ୍କୁ ବିବାହ କରିଥିଲେ। ୨୦୦୯ରେ ତାଙ୍କ ବାପାଙ୍କ ମୃତ୍ୟୁ ପରେ ସେ ଆଉ ଭାରତ ଆସିନଥିଲେ।