୧୮୭ ପୋଷ୍ଟ ପାଇଁ ୮୦୦୦ ପରୀକ୍ଷାର୍ଥୀ

ଏୟାର ଷ୍ଟ୍ରିପରେ ହେଲା ପରୀକ୍ଷା

ସମ୍ବଲପୁର, ୧୭/୧୨: ବଢ଼ୁଥିବା ବେକାରୀ ସଙ୍କଟର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସମ୍ବଲପୁରରେ। ମାତ୍ର ୧୮୭ ପୋଷ୍ଟ ପାଇଁ ପରୀକ୍ଷା ଦେଇଛନ୍ତି ୮୦୦୦ ପରୀକ୍ଷାର୍ଥୀ। ସମ୍ବଲପୁରର ଜମାଦାରପାଲି ଏୟାରଷ୍ଟ୍ରିପରେ ୮୦୦୦ ପରୀକ୍ଷାର୍ଥୀ ମାତ୍ର ୧୮୭ ହୋମଗାର୍ଡ ପଦବୀ ପାଇଁ ପରୀକ୍ଷା ଦେଇଛନ୍ତି। ଏତେ ସଂଖ୍ୟକ ପରୀକ୍ଷାର୍ଥୀଙ୍କୁ ନେଇ ଏକା ସଙ୍ଗେ ପରୀକ୍ଷା ଆୟୋଜନ କରିବା ଅସମ୍ଭବ ଥିବାରୁ ଏୟାରଷ୍ଟ୍ରିପରେ ପରୀକ୍ଷା କରାଯାଇଥିଲା।

ସୁରକ୍ଷା ବ୍ୟବସ୍ଥା ଅତ୍ୟନ୍ତ କଡ଼ାକଡ଼ି କରାଯାଇଥିଲା। ସୁରକ୍ଷା ଦାୟିତ୍ବରେ ତିନି ଜଣ ଅତିରିକ୍ତ ପୋଲିସ ଅଧିକ୍ଷକ (ଏସପି), ୨୪ ଜଣ ଇନ୍ସପେକ୍ଟର, ୮୬ ଜଣ ସବ-ଇନ୍ସପେକ୍ଟର (ଏସଆଇ) ଏବଂ ସହକାରୀ ସବ-ଇନ୍ସପେକ୍ଟର (ଏଏସଆଇ) ସହିତ ୧୦୦ ରୁ ଅଧିକ ହୋମଗାର୍ଡ ଏବଂ ଟ୍ରାଫିକ୍ ପୋଲିସ କର୍ମଚାରୀ ନିୟୋଜିତ ହୋଇଥିଲେ।

ପରୀକ୍ଷା ପ୍ରକ୍ରିୟା ସକାଳୁ ଶୀଘ୍ର ଆରମ୍ଭ ହୋଇଥିଲା। ପରୀକ୍ଷାର୍ଥୀମାନେ ସକାଳ ୬ଟାରେ ରିପୋର୍ଟିଂ କରିଥିଲେ ଏବଂ ସକାଳ ୯ଟାରେ ପରୀକ୍ଷା ପରିସରରେ ପ୍ରବେଶ କରିଥିଲେ।

ଏହି ପରୀକ୍ଷାରେ ସ୍ନାତକ, ଇଞ୍ଜିନିୟର ଏବଂ ଏମବିଏ ପଢ଼ୁଆ ସମେତ ଅନେକ ଉଚ୍ଚଶିକ୍ଷିତ ଯୁବକ ଯୁବତୀ ମଧ୍ୟ ଯୋଗ ଦେଇଥିଲେ। ଏଥିରୁ ଶିକ୍ଷିତ ଯୁବକ ଯୁବତୀଙ୍କ ମଧ୍ୟରେ, ଚାକିରି ଅଭାବ ସ୍ପଷ୍ଟ ବାରି ହୋଇ ପଡ଼ୁଛି।