ଭେନେଜୁଏଲା ଉପରେ ଏୟାର ଷ୍ଟ୍ରାଇକ୍‌

ରାଷ୍ଟ୍ରପତି ଓ ତାଙ୍କ ପତ୍ନୀ ଅଟକ ଆମେରିକା ଦ୍ଵାରା ଅଟକ

ଭେନେଜୁଏଲା, ୦୩/୦୧: ଭେନେଜୁଏଲା ରାଜଧାନୀ କାରାକାସ୍‌ରେ ଭୟଙ୍କର ଏୟାର ଷ୍ଟ୍ରାଇକ୍ କରିଛି ଆମେରିକା। ୭ଟି ବଡ଼ ବିସ୍ଫୋରଣରେ ଥରିଲା କାରାକାସ୍‌ ସହର। ଆମେରିକା ପକ୍ଷରୁ ଏୟାର ଷ୍ଟ୍ରାଇକ୍‌ କରାଯାଇଥିବା ସୂଚନା ମିଳିଛି। ସୋସିଆଲ ମିଡିଆରେ ସହର ସାରା ଅନେକ କୋଠା ଜଳୁଥିବାର ଭିଡିଓ ଭାଇରାଲ ହେଉଛି।

ଭେନେଜୁଏଲା ସାମରିକ ଘାଟିକୁ ଟାର୍ଗେଟ୍‌ କରି ଏୟାର ଷ୍ଟ୍ରାଇକ୍‌ କରିଛି ଆମେରିକା। ଆକ୍ରମଣ ପରେ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କରିଥିଲେ ଭେନେଜୁଏଲା ରାଷ୍ଟ୍ରପତି।

ଦେଶ ବାହାରକୁ ପଳାୟନ କଲା ବେଳେ ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋ ଓ ତାଙ୍କ ପତ୍ନୀ ଆମେରିକା ଦ୍ବାରା ଅଟକ ଥିବା ସୂଚନା ମିଳିଛି। ଭେନେଜୁଏଲାର ରାଜଧାନୀରେ ବିସ୍ଫୋରଣ ଘଟିବା ପରେ ଦେଶରେ ଅନିଶ୍ଚିତତାର ଛାଇ ପଡ଼ିବା ପରେ ଟ୍ରମ୍ପ ଏହି ଦାବି କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ମାଦୁରୋ ଏବଂ ତାଙ୍କ ପତ୍ନୀ ସିଲିଆ ଫ୍ଲୋରେସଙ୍କୁ ଆମେରିକାର ଆଇନ ପ୍ରବର୍ତ୍ତନ ଏଜେନ୍ସି ସହିତ ମିଳିତ ଭାବରେ କରାଯାଇଥିବା ଏକ ଅଭିଯାନରେ ଅଟକ ରଖାଯାଇଛି।

ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଶନିବାର ପ୍ରତ୍ୟୁଷରେ ଆମେରିକୀୟ ସାମରିକ ବାହିନୀର ସ୍ୱତନ୍ତ୍ର ମିଶନ ୟୁନିଟ୍, ଡେଲଟା ଫୋର୍ସର ସଦସ୍ୟମାନେ ହେପାଜତକୁ ନେଇଥିଲେ ବୋଲି ଆମେରିକୀୟ ନ୍ୟୁଜ୍ ଚ୍ୟାନେଲ୍ ସିବିଏସ୍ କହିଛି।

ପୂର୍ବରୁ ଆମେରିକାର ସେନାର ଏଲିଟ୍ ଡେଲ୍ଟା ଫୋର୍ସ ଏହି ଅପରେସନ୍ କରିଥିଲା ଯାହା ଫଳରେ ୨୦୧୯ ମସିହାରେ ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀ ଗୋଷ୍ଠୀର ପୂର୍ବତନ ନେତା ଅବୁ ବକର ଅଲ-ବାଗଦାଦିର ମୃତ୍ୟୁ ଘଟିଥିଲା। ୨୦୨୦ ମସିହାରେ ମାଦୁରୋଙ୍କ ବିରୁଦ୍ଧରେ ନାର୍କୋ-ଆତଙ୍କବାଦ ଅଭିଯୋଗରେ ଏକ ଆମେରିକୀୟ କୋର୍ଟରେ ବିଚାର କରାଯାଇଥିଲା।

ସୂଚନାଯୋଗ୍ୟ, ଡ୍ରଗ୍ସ ଚାଲାଣକୁ ନେଇ ଭେନେଜୁଏଲା ଉପରେ କ୍ଷୁବ୍ଧ ହୋଇଥିଲେ ଟ୍ରମ୍ପ୍‌। ତେଣୁ ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଗାଦିଚ୍ୟୁତ କରିବାକୁ ଚାହୁଁଥିଲେ। ଅନେକ ଦିନ ଧରି ଆମେରିକା ଭେନେଜୁଏଲାର ଜାହାଜକୁ ଟାର୍ଗେଟ କରି ଆକ୍ରମଣ କରି ଆସୁଥିଲା।

ସେପ୍ଟେମ୍ବର ଆରମ୍ଭରୁ ଆମେରିକା ସେନା କାରିବିଆନ ସାଗର ଏବଂ ପୂର୍ବ ପ୍ରଶାନ୍ତ ମହାସାଗରରେ ବୋଟ୍ ଉପରେ ଅତି କମରେ ୩୫ ଥର ଆକ୍ରମଣ କରିଛି, ଯେଉଁଥିରେ ଅତି କମରେ ୧୧୫ ଜଣଙ୍କର ମୃତ୍ୟୁ ହୋଇଛି।