ଜଳୁଛି ଇରାନ: ସମଗ୍ର ଦେଶରେ ଇଣ୍ଟରନେଟ୍ ବ୍ଲାକଆଉଟ
ବର୍ତ୍ତମାନ ସୁଦ୍ଧା ହିଂସାକାଣ୍ଡରେ ୩୯ ଜଣଙ୍କ ମୃତ୍ୟୁ; ୨୨୬୦ ଅଟକ
ପରସ୍ପରକୁ ଚେତାବନୀ ଦେଲେ ଟ୍ରମ୍ପ-ଖାମେନେଇ
ତେହେରାନ, ୦୯/୦୧: ଜଳୁଛି ଇରାନ। ନିୟନ୍ତ୍ରଣ ବାହାରେ ଇରାନର ପରିସ୍ଥିତି। ଦରଦାମ, ଅର୍ଥନୈତିକ ସଙ୍କଟ ଏବଂ ସରକାର ବିରୋଧୀ ଅସନ୍ତୋଷ କାରଣରୁ ଦେଶବ୍ୟାପୀ ବିକ୍ଷୋଭ। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖାମନେଇଙ୍କୁ ଗାଦିଚ୍ୟୁତ କରିବା ପାଇଁ ୧୨ ଦିନରେ ପହଞ୍ଚିଛି ଆନ୍ଦୋଳନ। ଆନ୍ଦୋଳନ କାରଣରୁ ସମଗ୍ର ଦେଶରେ ଇଣ୍ଟରନେଟ୍ ବ୍ଲାକଆଉଟ ହୋଇଛି। ବର୍ତ୍ତମାନ ସୁଦ୍ଧା ହିଂସାକାଣ୍ଡରେ ୩୯ ଜଣଙ୍କ ମୃତ୍ୟୁ ହେବା ସହ ୨୨୬୦ ଜଣ ଅଟକ ରହିଛନ୍ତି।
ସରକାରୀ ବିରୋଧରେ ଆନ୍ଦୋଳନ ନେଇ ଇରାନକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇ କହିଛନ୍ତି, ଆନ୍ଦୋଳନକାରୀଙ୍କୁ ହତ୍ୟା କରାଗଲେ ଦୃଢ ପଦକ୍ଷେପ ନେବ ଆମେରିକା। ଯଦି ସେମାନେ ପୂର୍ବ ପରି ଲୋକଙ୍କୁ ହତ୍ୟା କରିବା ଆରମ୍ଭ କରନ୍ତି, ତେବେ ମୁଁ ଭାବୁଛି ସେମାନେ ଆମେରିକା ଦ୍ୱାରା ବହୁତ କ୍ଷତି ପାଇବେ।
ଯାହା ପରେ ଟ୍ରମ୍ପଙ୍କୁ ତାଙ୍କ ଦେଶର ସମସ୍ୟା ଉପରେ ଧ୍ୟାନ ଦେବାକୁ କହିଛନ୍ତି ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନେଇ। ଖାମେନେଇ ପ୍ରତିବାଦକାରୀମାନଙ୍କୁ ଟ୍ରମ୍ପଙ୍କ ପକ୍ଷରୁ କାର୍ଯ୍ୟ କରୁଥିବାର ଅଭିଯୋଗ କରି କହିଛନ୍ତି ଯେ ଦଙ୍ଗାକାରୀମାନେ ସାର୍ବଜନୀନ ସମ୍ପତ୍ତି ଉପରେ ଆକ୍ରମଣ କରୁଛନ୍ତି ଏବଂ ତେହେରାନ ବିଦେଶୀମାନଙ୍କ ପାଇଁ ଭଡ଼ାଟିଆ ଭାବରେ କାର୍ଯ୍ୟ କରୁଥିବା ଲୋକଙ୍କୁ ସହ୍ୟ କରିବ ନାହିଁ।
ଖାମେନେଇ କହିଛନ୍ତି ଯେ ଟ୍ରମ୍ପଙ୍କ ହାତ ହଜାରରୁ ଅଧିକ ଇରାନୀଙ୍କ ରକ୍ତରେ ରଞ୍ଜିତ ଏବଂ ଅହଂକାରୀ ଆମେରିକୀୟ ନେତାଙ୍କୁ ୧୯୭୯ ବିପ୍ଳବ ପର୍ଯ୍ୟନ୍ତ ଇରାନରେ ଶାସନ କରିଥିବା ସାମ୍ରାଜ୍ୟବାଦୀ ରାଜବଂଶ ପରି ନିକ୍ଷେପ କରାଯିବ।
ପ୍ରାୟ ଦୁଇ ସପ୍ତାହ ଧରି ଚାଲିଥିବା ସରକାରୀ ବିରୋଧୀ ଆନ୍ଦୋଳନ ଚାଲିଛି। “ଏକଛତ୍ରବାଦୀଙ୍କ ମୃତ୍ୟୁ” ଭଳି ସ୍ଲୋଗାନ ଦେଇ ସରକାରୀ କୋଠାରେ ନିଆଁ ଲଗାଇ ଦେଇଛନ୍ତି ବିକ୍ଷୋଭକାରୀମାନେ।