ରାଜ୍ୟରେ ଦୁଇ ସପ୍ତାହ ଯାଏଁ ଜାରି ରହିବ ବର୍ଷା

ଭୁବନେଶ୍ୱର : ଆସନ୍ତା ଦୁଇ ସପ୍ତାହ ଯାଏ ରାଜ୍ୟରେ ବର୍ଷା ଜାରି ରହିବ । ୨୪ରୁ ୩୦ ତାରିଖ ଯାଏ ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବ ବୋଲି କୁହାଯାଇଛି । ତେବେ ଏହି ସପ୍ତାହରେ ସ୍ୱାଭାବିକ ବର୍ଷା ହୋଇପାରେ ।

ସେହିପରି ଜୁଲାଇ ୧ରୁ ୭ ତାରିଖ ଯାଏ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ। କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ତେବେ ଆସନ୍ତା ୨୫, ୨୬, ୨୭ ଓ ୨୮ ତାରିଖ ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଶନିବାର ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବଲାଙ୍ଗିର, ନବରଙ୍ଗପୁର, ନୂଆପଡ଼ା, କେନ୍ଦୁଝର, ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଚଳିତବର୍ଷ ବିଶ୍ୱର କିଛି ସ୍ଥାନରେ ଅଧିକ ସଂଖ୍ୟାରେ ବାତ୍ୟା ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି । ସମୁଦ୍ର ତାପମାତ୍ରା କମ୍‌ ଯୋଗୁ ଏହା ବାୟୁମଣ୍ଡଳରୁ ଅଧିକ ଉତ୍ତାପ ଶୋଷୁଛି । ବାୟୁପ୍ରବାହରେ ପରିବର୍ତ୍ତନ ଯୋଗୁ ଋତୁଚକ୍ର ଅନିୟମିତ ହୋଇଛି ।