ଜଳିଗଲା ଏକ ନମ୍ବର ହାଟ

କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ପୋଡ଼ି ଧ୍ୱଂସ

ଭୁବନେଶ୍ୱର, ୨୦/୦୧: ଭୁବନେଶ୍ବର ଏକ ନମ୍ବର ହାଟରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ବିଳମ୍ବିତ ରାତିରେ ଲାଗିଥିଲା ନିଆଁ। ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବା ବେଳେ ଅଗ୍ନିକାଣ୍ଡରେ ପ୍ରାୟ ୪୦ ଦୋକାନ ଘର ପୋଡି ଧ୍ବଂସ ହୋଇ ଯାଇଥିବା ସୂଚନା ମିଳିଛି।

ସର୍ଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ରାତି ୧.୩୫ ରେ ନିଆଁ ଲାଗିଯାଇଥିବା ଖବର ପାଇଥିଲା ଅଗ୍ନିଶମ ବାହିନୀ। ତୁରନ୍ତ ଦମକଳ ବାହିନୀ ପହଞ୍ଚି ୩ ଘଣ୍ଟା ପରେ ନିଆଁକୁ ଆୟତ୍ତ କରିଛନ୍ତି। ପ୍ରାୟ ୭୦ ଜଣ ଅଗ୍ନିଶମ କର୍ମଚାରୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଥିଲେ।

ମିଳିଥିବା ସୂଚନା ମୁତାବକ, ଏକ ପ୍ଲାଷ୍ଟିକ ଦୋକାନରୁ ନିଆଁ ଲାଗିଯିବା ଫଳରେ ତାହା ଅନ୍ୟ ଦୋକାନ ଆଡ଼କୁ ବ୍ୟାପି ଯାଇଥିଲା। ଯାହା ଫଳରେ ବଡ଼ ଧରଣର ଅଗ୍ନିକାଣ୍ଡ ହୋଇଥିଲା। ଅଗ୍ନିକାଣ୍ଡରେ ପ୍ରାୟ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ସମ୍ପତ୍ତି ନଷ୍ଟ ହୋଇଯାଇଛି।