ରାଜପଥରେ ପୋଲିସ ଉପରକୁ ବୋମାମାଡ଼

୨ ପୋଲିସ ଆହତ, ସରକାରଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ

ଚେନ୍ନାଇ, ୨୪/୦୧: ଶନିବାର ଅପରାହ୍ନରେ ଡିଣ୍ଡିଗୁଲରୁ ଚେନ୍ନାଇକୁ ଗଞ୍ଜେଇ ଚାଲାଣ କରୁଥିବା କିଛି ଦୁର୍ବୃତ୍ତ ପୋଲିସ ଏସ୍କର୍ଟ ଗାଡ଼ି ଉପରକୁ ଦେଶୀ ବୋମା ଫିଙ୍ଗିବାରୁ ଦୁଇ ପୋଲିସ ଆହତ ହୋଇଛନ୍ତି। ତିରୁଚି-ଚେନ୍ନାଇ ଜାତୀୟ ରାଜପଥ ନିକଟରେ ଅପରାହ୍ନ ପ୍ରାୟ ୨.୧୦ ଟାରେ ଏହି ଆକ୍ରମଣ କରାଯାଇଥିଲା। ସେତେବେଳେ ଏସ୍କର୍ଟ ଟିମ୍ ମଧ୍ୟାହ୍ନ ଭୋଜନ ସାରି ତିରୁମାନ୍ଥୁରାଇ ନିକଟସ୍ଥ ଏକ ରେଷ୍ଟୁରାଣ୍ଟରୁ ବାହାରିବା ସମୟରେ ଦୁର୍ବୃତ୍ତ ମାନେ ଆକ୍ରମଣ କରିଥିଲେ।

ପୋଲିସ କହିଛି ଯେ ଦୁଇଟି କାରରେ ଆସି କିଛି ଦୁର୍ବୃତ୍ତ ପୋଲିସ ଗାଡ଼ିକୁ ପିଛା କରି ହଠାତ୍ ଘଟଣାସ୍ଥଳରେ ପହଞ୍ଚି ପୋଲିସମାନଙ୍କ ଉପରକୁ ଅତି କମରେ ଛଅଟି ଦେଶୀ ବୋମା ଫିଙ୍ଗି ଦେଇଥିଲେ।

ଏସ୍କର୍ଟ ଗାଡ଼ିର ଡ୍ରାଇଭର ତଥା ପୋଲିସ କନଷ୍ଟେବଳ ୩୭ ବର୍ଷୀୟ ଭିନେଶ କୁମାରଙ୍କ ବାମ ଗୋଡରେ ଏକ ଫ୍ରାକ୍ଚର ହୋଇଛି, ଅନ୍ୟ ଜଣେ କନଷ୍ଟେବଳ ମାରୁଥାପାଣ୍ଡିଙ୍କ ଛାତି ଏବଂ ମୁଣ୍ଡରେ ଆଘାତ ଲାଗିଛି। ଉଭୟ ପେରାମ୍ବାଲୁର ସରକାରୀ ମୁଖ୍ୟାଳୟ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ଆକ୍ରମଣକାରୀମାନେ ଖସିଯିବାକୁ ଚେଷ୍ଟା କରିବା ସମୟରେ, ଏସ୍କର୍ଟ ଦଳର ନେତୃତ୍ୱ ନେଉଥିବା ସଶସ୍ତ୍ର ରିଜର୍ଭ ସହାୟକ ସବ-ଇନ୍ସପେକ୍ଟର ରାମଚନ୍ଦ୍ରନ ଆତ୍ମରକ୍ଷା ପାଇଁ ତାଙ୍କ ସର୍ଭିସ୍ ରାଇଫଲ୍ ବ୍ୟବହାର କରି ଗୁଳି ଚଳାଇଥିଲେ। ପୋଲିସ କହିଛି ଯେ ପ୍ରାୟ ୧୦ ରାଉଣ୍ଡ ଗୁଳି ଚାଳନା କରାଯାଇଥିଲା। କିନ୍ତୁ ଆକ୍ରମଣକାରୀମାନେ ଫେରାର ହୋଇଯାଇଥିଲେ।

ଏ ସମୟରେ ଅଲ୍ ଇଣ୍ଡିଆ ଆନ୍ନା ଦ୍ରାବିଡ ମୁନେତ୍ର କାଝଗମ (ଏଆଇଏଡିଏମ୍କେ)ର ସାଧାରଣ ସମ୍ପାଦକ ଏଡାପ୍ପାଡି କେ ପଲାନିସ୍ୱାମୀ ଶନିବାର ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ସରକାରଙ୍କୁ ଟାର୍ଗେଟ କରିଛନ୍ତି।