ଭୁବନେଶ୍ୱର, ୨୫/୦୧: ଆଜିଠାରୁ ଆରମ୍ଭ ହୋଇଛି ପ୍ରସିଦ୍ଧ ଖଣ୍ଡଗିରି ମେଳା। ଖଣ୍ଡଗିରି ମେଳାରେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ମେଳାରେ ମୁତୟନ ହେବେ ୧୦ ପ୍ଲାଟୁନ ଫୋର୍ସ। ସୁରକ୍ଷା ବ୍ୟବସ୍ଥା ନେଇ ସୂଚନା ଦେଲେ ଏସିପି ତାପସ ପ୍ରଧାନ। ଖଣ୍ଡଗିରି ମେଳାରେ ଜଣେ ଡିସିପି, ଜଣେ ଏସିପି, ୩ ଇନ୍ସପେକ୍ଟରଙ୍କ ସହ ୨୭ ଅଫିସର ସୁରକ୍ଷା ଦାୟିତ୍ବରେ ରହିବେ। ସାଦା ପୋଷାକଧାରୀ ଗୋଟିଏ ପ୍ଲାଟୁନ ଭିଡ଼ ସ୍ଥାନରେ ପଇଁତରା ମାରିବେ। ଖଣ୍ଡଗିରି ଓ ଉଦୟଗିରି ପାହାଡ଼ ଉପରେ ସିସିଟିଭି ବନ୍ଦୋବସ୍ତ କରାଯାଇଛି। ଜୟଦେବ ବାଟିକାରେ ମଧ୍ୟ ଅପରାଧିକ ତତ୍ତ୍ୱ ଉପରେ ନଜର ରଖିବାକୁ ବ୍ୟବସ୍ଥା କରାଯାଇଛି।
ସେହିପରି ଯାତ୍ରା କମିଟି ମାନଙ୍କୁ ନୋଟିସ୍ ଜାରି କଲା କମିଶନରେଟ ପୋଲିସ୍। ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ୧୪ଟି ନିୟମ ଜାରି କରିଛି ଖଣ୍ଡଗିରି ପୋଲିସ। କୌଣସି ପ୍ରକାର ଅଶ୍ଳୀଳ ନୃତ୍ୟ ପରିବେଷଣ ନିଷିଦ୍ଧ କରାଯାଇଛି। ଯାତ୍ରା ପେଣ୍ଡାଲ ନିକଟରେ ୬ଟି ଏମର୍ଜେନ୍ସି ପ୍ରବେଶ ଓ ପ୍ରସ୍ଥାନ ପଥ ରଖିବେ। ପ୍ରାପ୍ତ ଲାଇସେନ୍ସରେ ନିର୍ଦ୍ଧାରିତ ଚୌକି ଠାରୁ ଅଧିକ ପକାଇ ପାରିବେନି। ଅଗ୍ନି ନିର୍ବାପକ ସରଞ୍ଜାମ ରଖିବା ସହ ପାର୍କିଂ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଧାରିତ ଶବ୍ଦର ତୀବ୍ରତା ଠାରୁ ଅଧିକ ଶବ୍ଦ ଯେପରି ନ ହେବ ଧ୍ୟାନ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

