‘ଯଦି ଆମ ସମ୍ବିଧାନ ନ ମାନିବ, ଭାରତ ଛାଡ଼ିଦିଅ’

ହ୍ୱାଟ୍ସଆପ୍ ଓ ମେଟାକୁ ସୁପ୍ରିମକୋର୍ଟଙ୍କ କଡ଼ା ଭର୍ତ୍ସନା

ନୂଆଦିଲ୍ଲୀ, ୦୩/୦୧: ମଙ୍ଗଳବାର ଦିନ ସୁପ୍ରିମକୋର୍ଟ ମେଟା ଏବଂ ହ୍ୱାଟ୍ସଆପ୍‌କୁ କଡ଼ା ଭର୍ତ୍ସନା କରିଛନ୍ତି। ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଭାରତୀୟଙ୍କ ବ୍ୟକ୍ତିଗତ ତଥ୍ୟର ଅପବ୍ୟବହାରକୁ ବରଦାସ୍ତ କରାଯିବ ନାହିଁ। ମେଟା ଏବଂ ହ୍ୱାଟ୍ସଆପ୍‌କୁ ଭର୍ତ୍ସନା କରିବା ସହ କୋର୍ଟ ଆଜି ଏହା ମଧ୍ୟ କହିଛନ୍ତି ଯେ ଯଦି ସେମାନେ ଆମର ସମ୍ବିଧାନ ପାଳନ କରିପାରିବେ ନାହିଁ, ତେବେ ସେମାନେ ଦେଶ ଛାଡି ଯାଇପାରିବେ।

ପ୍ରକୃତରେ, ଏହି ମାମଲା ହ୍ୱାଟ୍ସଆପ୍‌ର ୨୦୨୧ ଗୋପନୀୟତା ସହ ଜଡିତ। ଯାହା ଉପରେ CCI ହ୍ୱାଟ୍ସଆପ୍‌ ଉପରେ 213.14 କୋଟି ଟଙ୍କାର ଜରିମାନା ଲଗାଇଥିଲା।

ହ୍ୱାଟସଆପ୍ ନୀତି କ’ଣ?

ସୁପ୍ରିମକୋର୍ଟରେ ଚାଲିଥିବା ହ୍ୱାଟ୍ସଆପ୍ ମାମଲା ୨୦୨୧ର ଗୋପନୀୟତା ନୀତି ସହିତ ଜଡିତ। ଏହି ନୀତି ଅପଡେଟରେ, କୁହାଯାଇଛି ଯେ ହ୍ୱାଟ୍ସଆପ୍ ବ୍ୟବହାରକାରୀଙ୍କ ବିବରଣୀ ମେଟା ସହିତ ସେୟାର କରାଯିବ। ହ୍ୱାଟ୍ସଆପ୍ ବ୍ୟବହାରକାରୀମାନଙ୍କୁ ଏହି ନୀତି ଗ୍ରହଣ ନକରିବା ପାଇଁ କୌଣସି ବିକଳ୍ପ ଦେଇ ନଥିଲା। ଏହି ମାମଲାକୁ ‘ଗୋପନୀୟତାର ଅପବ୍ୟବହାର’ ମାମଲା ଭାବରେ ବିଚାର କରି, CCI ହ୍ୱାଟ୍ସଆପ୍ ଉପରେ 213.14 କୋଟି ଟଙ୍କାର ଏକ ବଡ଼ ଜରିମାନା ଲଗାଇଥିଲା। ଏହା ବିରୁଦ୍ଧରେ ମେଟା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଯାହାର ଆଜି ଶୁଣାଣି କରିଥିଲେ ସୁପ୍ରିମକୋର୍ଟ।

କୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଆପଣ ଦେଶର ଗୋପନୀୟତା ଅଧିକାର ସହିତ ହେରଫେର କରିପାରିବେ ନାହିଁ। ସିଜେଆଇ ମେଟା ଏବଂ ହ୍ୱାଟ୍ସଆପ୍‌କୁ ଭର୍ତ୍ସନା କରି କହିଛନ୍ତି ଯେ ଯଦି ଆପଣ ସମ୍ବିଧାନକୁ ସମ୍ମାନ ଦେଇପାରିବେ ନାହିଁ, ତେବେ ଦେଶ ଛାଡି ଦିଅନ୍ତୁ। ଶୁଣାଣି ସମୟରେ, କୋର୍ଟ କହିଛନ୍ତି ଯେ ଯେପର୍ଯ୍ୟନ୍ତ କମ୍ପାନୀଗୁଡ଼ିକ ତଥ୍ୟ ବ୍ୟବହାର କରିବେ ନାହିଁ ବୋଲି ଶପଥପତ୍ର ନ ଦିଅନ୍ତି ସେପର୍ଯ୍ୟନ୍ତ ଶୁଣାଣି ଆଗକୁ ବଢ଼ିବ ନାହିଁ।