ମୁମ୍ବାଇ, ୦୩/୦୨: ମୁମ୍ବାଇରେ ଓଡ଼ିଆ ଛାତ୍ରୀଙ୍କ ମୃତ୍ୟୁ। ଲୋନାଭାଲାକୁ ଟ୍ରେକିଂ ପାଇଁ ଯାଇଥିବା ବେଳେ ୪୦୦ ଫୁଟ୍ ଖାଇକୁ ଖସି ତାଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନା ମିଳିଛି। ଲୋନାଭାଲାର ଟାଇଗର ପଏଣ୍ଟ ଅଞ୍ଚଳରୁ ମିଳିଛି ଛାତ୍ରୀଙ୍କ ମୃତଦେହ। ମୃତ ଛାତ୍ର ଜଣକ ହେଉଛନ୍ତି ଶ୍ରେୟା ନରେନ୍ଦ୍ର ପତି।
ଶ୍ରେୟା ମୁମ୍ବାଇରେ ଏଲଏଲବି ପଢନ୍ତି। ଜାନୁଆରୀ ୩୧ ତାରିଖରେ ଲୋନାଭାଲା-ଖଣ୍ଡାଲା ଅଞ୍ଚଳରେ ଟ୍ରେକିଂ କରିବାକୁ ଯାଇଥିଲେ। ସେ ତାଙ୍କ ପରିବାରକୁ ଏ ବିଷୟରେ ଜଣାଇଥିଲେ। କିନ୍ତୁ ସନ୍ଧ୍ୟା ସୁଦ୍ଧା ଘରକୁ ଫେରିନଥିଲେ। ତାଙ୍କ ସହ ଯୋଗାଯୋଗ କରିବା ବେଳେ ଫୋନ୍ ସ୍ୱିଚ୍ ଅଫ୍ ଥିବା ଜାଣିବାକୁ ପାଇଥିଲେ ଘର ଲୋକ। ଜଣେ ସ୍ଥାନୀୟ ଦୋକାନୀ ପରିଚୟ ପତ୍ର ସହିତ ତାଙ୍କ ବ୍ୟାଗକୁ ଦେଖି ପରିବାରକୁ ଖବର ଦେଇଥିଲେ। ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ।
ପୋଲିସ ଡ୍ରୋନ ଏବଂ ଏକ କୁକୁର ସ୍କ୍ବାଡ୍ ସାହାଯ୍ୟରେ ଏକ ମେଗା ସର୍ଚ୍ଚ ଅପରେସନ କରିଥିଲେ। ପ୍ରାୟ ୩୬ ଘଣ୍ଟା ଧରି ଖୋଜାଖୋଜି କରିବା ପରେ ଶେଷରେ ତାଙ୍କ ମୃତଦେହ ପ୍ରାୟ ୪୦୦ ଫୁଟ ଗଭୀର ଏକ ଘାଟିରୁ ଉଦ୍ଧାର କରାଯାଇଥିଲା।
ପୋଲିସ ତଦନ୍ତ ଆରମ୍ଭ କରିଛି। ଶ୍ରେୟା ଏକା ଟ୍ରେକିଂ କରିବାକୁ ଯାଇଥିଲେ ନା ତାଙ୍କ ସହିତ ଆଉ କେହି ଥିଲେ ତାହା ପୋଲିସ ଯାଞ୍ଚ କରୁଛି। ଏହି ମାମଲା ଲୋକପ୍ରିୟ ଟ୍ରେକିଂ ଅଞ୍ଚଳରେ ସୁରକ୍ଷା ପ୍ରତି ଗମ୍ଭୀର ଚିନ୍ତା ସୃଷ୍ଟି କରିଛି।