ଇମ୍ଫାଲ, ୦୩/୦୨: ଘୋଷଣା ହେଲା ମଣିପୁରର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ। ୟୁମନାମ ଖେମଚନ୍ଦ ସିଂ ହେବେ ମଣିପୁରର ନୂଆ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ଫେବ୍ରୁଆରୀ ୧୨ରେ ରାଷ୍ଟ୍ରପତି ଶାସନକୁ ବର୍ଷେ ପୂରଣ ହେବ। ୟୁମନାମ ଖେମଚନ୍ଦ ସିଂ ନୂଆ ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ। ୬୦ ଆସନ ବିଶିଷ୍ଟ ବିଧାନସଭାରେ ବିଜେପିର ସଂଖ୍ୟାଗରିଷ୍ଠତା ରହିଛି।
ରାଜ୍ୟରେ ଦୀର୍ଘ ସମୟ ଧରି ଜାତିଗତ ହିଂସା ଚାଲିଥିବା ବେଳେ ୯ ଫେବୃଆରୀ ୨୦୨୫ ରେ ଏନ ବୀରେନ ସିଂହ ଇସ୍ତଫା ଦେବା ପରଠାରୁ ଏହି ପଦବୀ ଖାଲି ପଡ଼ିଛି। ଏହାର କିଛି ଦିନ ପରେ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା।
ମଙ୍ଗଳବାର ଦିନ ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ବୈଠକ ପରେ ମଣିପୁର ବିଜେପିର ବିଧାୟକ ଦଳ ନେତା ଭାବରେ ନିର୍ବାଚିତ ହେବା ପରେ ମଣିପୁରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବରେ ଖେମଚାନ୍ଦ ସିଂହଙ୍କ ନାମ ଘୋଷଣା କରାଯାଇଥିଲା।
ଖେମଚାନ୍ଦ ସିଂହ ଦୁଇଥର ବିଧାୟକ ହୋଇଛନ୍ତି। ସେ ୨୦୧୭ ଏବଂ ତା’ପରେ ୨୦୨୨ ମସିହାରେ ସିଙ୍ଗଜାମେଇ ବିଧାନସଭା ଆସନରୁ ଲଗାତାର ଦୁଇ ଥର ନିର୍ବାଚିତ ହୋଇଥିଲେ। ମାର୍ଚ୍ଚ ୨୦୧୭ରେ ମଣିପୁର ବିଧାନସଭାର ବାଚସ୍ପତି ଭାବରେ ନିର୍ବାଚିତ ହୋଇଥିଲେ। ୨୦୨୨ ବିଧାନସଭା ନିର୍ବାଚନ ପରେ ବୀରେନ ସିଂହ କ୍ୟାବିନେଟ ମନ୍ତ୍ରୀ ଥିଲେ। ତାଙ୍କୁ ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତିରାଜ, ପୌର ପ୍ରଶାସନ, ଗୃହ ବିକାଶ ଏବଂ ଶିକ୍ଷା ସମେତ ଅନେକ ବିଭାଗ ଦାୟିତ୍ୱ ଦିଆଯାଇଥିଲା। ରାଷ୍ଟ୍ରପତି ଶାସନ ଲାଗୁ ହେବା ପର୍ଯ୍ୟନ୍ତ ସେ ମନ୍ତ୍ରୀ ଭାବରେ କାର୍ଯ୍ୟ ଜାରି ରଖିଥିଲେ।