ରନୱେରେ ଧକ୍କା ହେଲା ଦୁଇ ବିମାନ

ତଦନ୍ତ ନିର୍ଦ୍ଦେଶ ଦେଲା DGCA

ମୁମ୍ବାଇ, ୦୪/୦୨: ମଙ୍ଗଳବାର ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏୟାର ଇଣ୍ଡିଆର ଏକ ଜେଟ୍ ଏବଂ ଇଣ୍ଡିଗୋ ବିମାନ ମଧ୍ୟରେ ପରସ୍ପରର ଡେଣା ମାଡ଼ ହୋଇଥିଲା।

ଉଭୟ ବିମାନ କମ୍ପାନୀ ଏହି ଘଟଣା ଏବଂ ସେମାନଙ୍କ ବିମାନର ସାମାନ୍ୟ କ୍ଷୟକ୍ଷତି ହୋଇଥିବା ନିଶ୍ଚିତ କରିଛନ୍ତି। ତେବେ ସୌଭାଗ୍ୟବଶତଃ, ରନୱେରେ ଦୁଇ ବିମାନ ଧକ୍କା ହେବାରୁ ଅଳ୍ପକେ ବର୍ତ୍ତିଛନ୍ତି ଯାତ୍ରୀ। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA)ର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଏବଂ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଏୟାର ଇଣ୍ଡିଆ କହିଛି ଯେ ଘଟଣା ଘଟିବା ସମୟରେ ଏହାର ବିମାନ ଟ୍ୟାକ୍ସିୱେରେ ଉଡ଼ାଣ ଆରମ୍ଭ ହେବାର ପାଳି ଅପେକ୍ଷା କରିଥିଲା। ଅନ୍ୟପକ୍ଷରେ, ଇଣ୍ଡିଗୋ ବିମାନଟି ବିମାନବନ୍ଦରରେ ଲ୍ୟାଣ୍ଡିଂ କରିଥିଲା।

ଏକ ସରକାରୀ ବିବୃତ୍ତିରେ, ଏୟାର ଇଣ୍ଡିଆ କହିଛି, “ଫେବୃଆରୀ ୩ ତାରିଖରେ ମୁମ୍ବାଇରୁ କୋଏମ୍ବାଟୁର ଅଭିମୁଖେ ଯାତ୍ରା କରୁଥିବା ବିମାନ AI2732 ବିଳମ୍ବିତ ହୋଇଥିଲା କାରଣ ଏହା ଉଡ଼ାଣ ପୂର୍ବରୁ ଟ୍ୟାକ୍ସିୱେରେ ଅପେକ୍ଷା କରୁଥିବା ସମୟରେ ଅନ୍ୟ ଏକ ଏୟାରଲାଇନ୍ସର ବିମାନ ସହିତ ଧକ୍କା ହୋଇଥିଲା। ଦୁଇଟି ବିମାନର ଡେଣା ମାଡ଼ ହୋଇଥିଲା, ଯାହା ଫଳରେ ଆମ ବିମାନର ଡେଣା କ୍ଷତିଗ୍ରସ୍ତ ହୋଇଥିଲା।”

ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଜେଟଲାଇନରକୁ ଯାନ୍ତ୍ରିକ ଯାଞ୍ଚ ପାଇଁ ଅଟକ ରଖାଯାଇଛି, ଏୟାର ଇଣ୍ଡିଆ ବିବୃତ୍ତିରେ ଆହୁରି କୁହାଯାଇଛି। “ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ଓହ୍ଲାଇ ଦିଆଯାଇଛି, ଏବଂ ଆମର ଗ୍ରାଉଣ୍ଡ ଟିମ୍ ସେମାନଙ୍କୁ ଶୀଘ୍ର ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ବିକଳ୍ପ ବ୍ୟବସ୍ଥା କରୁଛନ୍ତି।”

ଇଣ୍ଡିଗୋ ମଧ୍ୟ ଏହି ଦୁର୍ଘଟଣା ବିଷୟରେ ବିବରଣୀ ପ୍ରଦାନ କରିଛି। ଏଥିରେ କୁହାଯାଇଛି, “ଆମେ ନିଶ୍ଚିତ କରୁଛୁ ଯେ ୩ ଫେବୃଆରୀରେ ହାଇଦ୍ରାବାଦରୁ ମୁମ୍ବାଇ ଯାଉଥିବା ଆମର ଏକ ବିମାନ 6E 791 ର ଡେଣା ଅବତରଣ ପରେ ଟ୍ୟାକ୍ସି କରିବା ସମୟରେ ଅନ୍ୟ ଏକ ବିମାନର ଡେଣା ସହିତ ଧକ୍କା ହୋଇଥିଲା।”