କୋରିଆନ ଗେମ୍ ନିଶା: ୩ ଭଉଣୀଙ୍କ ସମୂହ ଆତ୍ମହତ୍ୟା

୯ ମହଲାରୁ ଡେଇଁ ପଡ଼ିଲେ

ଗାଜିଆବାଦ, ୦୪/୦୨: ଗତକାଲି ରାତି ପ୍ରାୟ ୨ଟା ସମୟରେ ଗାଜିଆବାଦର ଏକ ସୋସାଇଟିରେ ତିନି ଜଣ ନାବାଳିକା ଭଉଣୀ ସମୂହ ଆତ୍ମହତ୍ୟା କରିଛନ୍ତି। ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୨ଟା ସମୟରେ ଟିଲା ମୋଡ୍ ଥାନା ଅଞ୍ଚଳର ଭାରତ ସିଟି ସୋସାଇଟିର ୯ମ ମହଲାରୁ ତିନି ଜଣ ଭଉଣୀ ଡେଇଁ ପଡ଼ିଥିଲେ। ସେମାନଙ୍କ ଘଟଣାସ୍ଥଳେ ମୃତ୍ୟୁ ହୋଇଥିଲା। ଏହି ଝିଅମାନେ ଭାରତ ସିଟି ସୋସାଇଟିର ବି-୧ ଟାୱାରର ଫ୍ଲାଟ ନମ୍ବର ୯୦୭ରେ ରହୁଥିଲେ। ଖବର ଜଣାପଡ଼ିବା ପରେ ପରିବାର ଲୋକେ ଘଟଣା ବିଷୟରେ ପୋଲିସକୁ ସୂଚନା ଦେଇଥିଲେ। ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି।

ରିପୋର୍ଟ ଅନୁଯାୟୀ, ପରିବାରର ସମସ୍ତ ସଦସ୍ୟ ଶୋଇଥିବା ବେଳେ ରାତି ୨ଟାରେ ତିନି ଭଉଣୀ ଘରୁ ଚାଲିଯାଇଥିଲେ। ଏକ ପ୍ଲାଷ୍ଟିକ୍ ଚେୟାର ବ୍ୟବହାର କରି ସେମାନେ ୯ମ ମହଲାରୁ ଡେଇଁ ପଡ଼ିଥିଲେ। ତିନି ଭଉଣୀ ଅନଲାଇନ୍ ଗେମ୍ ଖେଳୁଥିଲେ। ପୋଲିସ ଏକ ସୁଇସାଇଡ୍ ନୋଟ୍ ପାଇଛି। ନୋଟ୍ ଅନୁଯାୟୀ, ମୋବାଇଲ୍ ଗେମିଂ ଆପ୍ ଯୋଗୁଁ ଆତ୍ମହତ୍ୟା ହୋଇଥିଲା। ପୋଲିସ ସୁଇସାଇଡ୍ ନୋଟ୍ ର ତଦନ୍ତ କରୁଛି। ସେଥିରେ ‘ସରି ପାପା’ ବୋଲି ଲେଖାଯାଇଛି।

ରିପୋର୍ଟ ଅନୁଯାୟୀ ତିନି ଭଉଣୀ କୋରିଆନ୍ ଲଭର୍ ନାମକ ଏକ ଅନଲାଇନ୍ ଟାସ୍କ-ଭିତ୍ତିକ ଗେମ୍ ଖେଳୁଥିଲେ। ସେମାନେ ସାମୂହିକ ଭାବରେ ଆତ୍ମହତ୍ୟା କରିଥିବା କୁହାଯାଉଛି। ଝିଅମାନେ ହେଲେ ନିଶିକା (୧୬), ପ୍ରାଚୀ (୧୪) ଏବଂ ପାଖି (୧୨)।

ପୋଲିସର କହିବା ଅନୁଯାୟୀ, ତିନି ଝିଅ ଅନଲାଇନ୍ ଗେମ୍ସରେ ନିଶାଗ୍ରସ୍ତ ଥିଲେ, ଏବଂ ସେମାନଙ୍କ ପରିବାର ଏହାର ବିରୋଧରେ ଥିଲେ। ସେମାନଙ୍କ ବାପାମା ପ୍ରାୟତଃ ସେମାନଙ୍କୁ ଖେଳିବାକୁ ବାରଣ କରୁଥିଲେ। ତେବେ ଝିଅମାନେ ଆତ୍ମହତ୍ୟା କରିଛନ୍ତି ନା ଅନ୍ୟ କୌଣସି କାରଣରୁ, ତାହା ପୋଲିସ ତଦନ୍ତ କରୁଛି।