ପୂର୍ବତନ ଏକଛତ୍ରବାଦୀ କର୍ଣ୍ଣେଲ ଗଦ୍ଦାଫିଙ୍କ ପୁଅ ସୈଫ ଅଲ-ଇସଲାମଙ୍କୁ ହତ୍ୟା

ଯୋଜନାବଦ୍ଧ ହତ୍ୟା ଅଭିଯୋଗ ଆଣିଲେ ଅବଦୁଲ୍ଲା ଓସମାନ

ଲିବିୟା, ୦୪/୦୨: ସଂଘର୍ଷରତ ଲିବିୟାର ପୂର୍ବତନ ଏକଛତ୍ରବାଦୀ କର୍ଣ୍ଣେଲ ମୁଅମ୍ମର ଗଦ୍ଦାଫିଙ୍କ ପୁଅ ସୈଫ୍ ଅଲ୍-ଇସଲାମ୍ ଗଦ୍ଦାଫିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଫେବୃଆରୀ ୩ ତାରିଖରେ ପଶ୍ଚିମ ଲିବିୟାର ଜିନ୍ତାନ୍ ସହରସ୍ଥିତ ତାଙ୍କ ଘରେ କିଛି ଅଜଣା ଆକ୍ରମଣକାରୀମାନେ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଜିନ୍ତାନ୍ ସହର ତ୍ରିପୋଲିରୁ ପ୍ରାୟ ୧୩୬ କିଲୋମିଟର ଦକ୍ଷିଣ-ପଶ୍ଚିମ ଲିବିୟାରେ ଅବସ୍ଥିତ।

୫୩ ବର୍ଷୀୟ ସୈଫ୍ ଅଲ୍-ଇସଲାମ୍ ଗଦ୍ଦାଫି ହେଉଛନ୍ତି ମୁଅମ୍ମର ଗଦ୍ଦାଫିଙ୍କ ସାତ ପୁଅ ମାନଙ୍କ ମଧ୍ୟରୁ ଜଣେ, ଯିଏକି ବେଶ୍ ପ୍ରଭାବଶାଳୀ ଓ ମୁଅମ୍ମରଙ୍କ ଉତ୍ତରାଧିକାରୀ ବୋଲି ବିବେଚନା କରାଯାଉଥିଲା। ୧୯୬୯ ରୁ ୨୦୧୧ ପର୍ଯ୍ୟନ୍ତ ଲିବିଆରେ ଶାସନ କରୁଥିଲେ କର୍ଣ୍ଣେଲ ମୁଅମ୍ମର ଗଦ୍ଦାଫି।

ସେ ଲଣ୍ଡନ୍ ସ୍କୁଲ୍ ଅଫ୍ ଇକୋନୋମିକ୍ସରୁ ପିଏଚଡି ଡିଗ୍ରୀ ହାସଲ କରିଥିଲେ ଏବଂ ପାଶ୍ଚାତ୍ୟ ରାଷ୍ଟ୍ର ସହିତ ସମ୍ପର୍କ ଉନ୍ନତ କରିବାକୁ ଚେଷ୍ଟା କରିଥିଲେ। ୨୦୧୧ ଲିବିଆନ୍ ବିପ୍ଳବ ସମୟରେ ସେ ତାଙ୍କ ପିତାଙ୍କ ସରକାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ବିପ୍ଳବ ପରେ ତାଙ୍କୁ ୨୦୧୧ରେ ବନ୍ଦୀ କରାଯାଇଥିଲା, କିନ୍ତୁ ପରେ ତାଙ୍କୁ ମୁକ୍ତ କରାଯାଇଥିଲା।

୨୦୧୫ ମସିହାରେ ଏକ କୋର୍ଟ ସୈଫ ଅଲ-ଇସଲାମଙ୍କୁ ତାଙ୍କ ଅନୁପସ୍ଥିତିରେ ମୃତ୍ୟୁଦଣ୍ଡ ଦେଇଥିଲେ। ତଥାପି, ପରେ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିଲା। ୨୦୨୧ ମସିହାରେ ସୈଫ ଅଲ-ଇସଲାମ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସୁରକ୍ଷା ଏବଂ ଆଇନଗତ ସମସ୍ୟା ଯୋଗୁଁ ସେ ବିଫଳ ହୋଇଥିଲେ।

ସୈଫ ଅଲ-ଇସଲାମଙ୍କ ରାଜନୈତିକ ପରାମର୍ଶଦାତା ଅବଦୁଲ୍ଲା ଓସମାନ ଅବଦୁରହିମ୍ ଫେସବୁକ୍‌ରେ ଏକ ବିବୃତ୍ତି ଜାରି କରି ନିଶ୍ଚିତ କରିଛନ୍ତି ଯେ ଦିନ ଦ୍ୱିପ୍ରହର ସମୟରେ ଚାରି ଜଣ ମୁଖାପିନ୍ଧା ବନ୍ଧୁକଧାରୀ ପ୍ରଥମେ ସୈଫ୍ ଅଲ୍-ଇସ୍ଲାମ୍‌ଙ୍କ ଘର ଉପରେ ଆକ୍ରମଣ କରିଥିଲେ। ଏହା ପରେ ଆକ୍ରମଣକାରୀମାନେ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି କ୍ୟାମେରା ନଷ୍ଟ କରିଦେଇଥିଲେ ଏବଂ ପରେ ସୈଫ୍ ଅଲ୍-ଇସ୍ଲାମ୍‌ଙ୍କୁ ଗୁଳି କରିଥିଲେ।

ଲିବିଆନ୍ ଆଟର୍ଣ୍ଣି ଜେନେରାଲଙ୍କ କାର୍ଯ୍ୟାଳୟ ଘଟଣାର ତଦନ୍ତ ଆରମ୍ଭ କରିଛି। କର୍ଣ୍ଣେଲ ଗଦ୍ଦାଫି ୨୦୧୧ ପର୍ଯ୍ୟନ୍ତ ଦେଶକୁ ଶାସନ କରିଥିଲେ। ତାଙ୍କ ସମୟରେ ଦେଶରେ ସ୍ଥିରତା ଆସିବା ସହ ଅନ୍ୟ ରାଷ୍ଟ୍ର ଗୁଡ଼ିକ ସହିତ ସମ୍ପର୍କ ଭଲ ରଖିଥିଲେ। କିନ୍ତୁ ୨୦୧୧ ରେ ସେ ଶାସନରୁ ଯିବା ପରେ ଦେଶରେ ଗୃହ ଯୁଦ୍ଧ ଭଳି ପରିସ୍ଥିତି ଲାଗି ରହିଛି। ଦେଶରେ ଅସ୍ଥିରତା ଦେଖାଦେଇଛି। ଆଗକୁ ଆହୁରି ସ୍ଥିତି ଭୟଙ୍କର ହୋଇପାରେ।