ଇମ୍ଫାଲ, ୧୦/୦୨: ମଣିପୁରର ଉଖରୁଲ ଜିଲ୍ଲାରେ ସଶସ୍ତ୍ର ଉଗ୍ରବାଦୀମାନେ ଅନେକ ଘର ପୋଡ଼ି ଦେଇଛନ୍ତି ଏବଂ ଗୁଳି ଚଳାଇଛନ୍ତି। ଟାଙ୍ଗଖୁଲ ନାଗା ସମ୍ପ୍ରଦାୟର ଜଣେ ସଦସ୍ୟଙ୍କ ଉପରେ ଆକ୍ରମଣକୁ ନେଇ ଉତ୍ତେଜନା ବୃଦ୍ଧି ପାଉଥିବା ବେଳେ ଏହି ଘଟଣା ଘଟିଛି। ପରିସ୍ଥିତିର ମୁକାବିଲା ପାଇଁ, ରାଜ୍ୟ ସରକାର ଆହୁରି ହିଂସା ଏବଂ ଗୁଜବକୁ ରୋକିବା ପାଇଁ ଜିଲ୍ଲାରେ ପାଞ୍ଚ ଦିନ ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରିଦେଇଛନ୍ତି।
ପୋଲିସର ସୂଚନା ଅନୁଯାୟୀ, ଲିଟାନ ସାରିଖୋଙ୍ଗ ଅଞ୍ଚଳରେ ଗୁଳିକାଣ୍ଡ ଏବଂ ପୋଡ଼ାଜଳା ହୋଇଛି। ତାଙ୍ଗଖୁଲ ନାଗା ସଂଗଠନ ଉଖରୁଲ ଏବଂ କାମଜୋଙ୍ଗ ଜିଲ୍ଲାରେ କୁକି ସମ୍ପ୍ରଦାୟର ଗତିବିଧି ଉପରେ କଟକଣା ଲଗାଇବାର ଗୋଟିଏ ଦିନ ପରେ ଏହା ଘଟିଛି। ପ୍ରଶାସନ ସମଗ୍ର ଜିଲ୍ଲାରେ କର୍ଫ୍ୟୁ ଜାରି କରିଛି।
ସଶସ୍ତ୍ର ଲୋକମାନେ ଲିଟାନ ସାରିଖୋଙ୍ଗରେ କିଛି ଖାଲି ଘରେ ନିଆଁ ଲଗାଇ ଗୁଳି ଚଳାଇଛନ୍ତି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି ଏବଂ ସୁରକ୍ଷା ବାହିନୀ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। ମଣିପୁର ସରକାର ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଉଖରୁଲ ଜିଲ୍ଲାର ରାଜସ୍ୱ ଅଞ୍ଚଳରେ ପାଞ୍ଚ ଦିନ ପାଇଁ ବ୍ରଡବ୍ୟାଣ୍ଡ, VPN ଏବଂ V-Sat ଇଣ୍ଟରନେଟ୍ ସେବାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ସମୟରେ ଘରୁ ପଳାୟନ କରୁଥିବା ସ୍ଥାନୀୟ ଲୋକମାନେ କହିଛନ୍ତି ଯେ ସୁରକ୍ଷାବାହିନୀ ସ୍ଥାନୀୟ ଅଞ୍ଚଳରେ ଗୁଳିଚାଳନା ବନ୍ଦ କରିବାରେ ବିଫଳ ହୋଇଛନ୍ତି।
ଗତ ଦୁଇ ଦିନ ଧରି ଲିଟାନ ଶ୍ରୀଖୋଙ୍ଗ ଏବଂ ଆଖପାଖର କୁକି-ଅଧିକୃତ ଗ୍ରାମରୁ ଶହ ଶହ କୁକି ଏବଂ ତାଙ୍ଗଖୁଲ ନାଗା ଗ୍ରାମବାସୀ, ମହିଳା, ପିଲା ଏବଂ ବୃଦ୍ଧଙ୍କ ସମେତ ଅନେକ ଲୋକ ସୁରକ୍ଷିତ ସ୍ଥାନକୁ ପଳାଉଛନ୍ତି। ଅନେକ ଗ୍ରାମବାସୀ କୁକି-ଅଧିକୃତ କାଙ୍ଗପୋକପି ଜିଲ୍ଲାର ମୋଟବୁଙ୍ଗ ଏବଂ ସାଇକୁଲର କିଛି ଅଂଶରେ ଆଶ୍ରୟ ନେଇଛନ୍ତି।
ମଣିପୁର ମନ୍ତ୍ରୀ ଗୋବିନ୍ଦାସ କନ୍ଥୋଜାମ ସୋମବାର ଦିନ କହିଛନ୍ତି ଯେ ଅତି କମରେ ୨୧ ଟି ଘର ପୋଡି ଦିଆଯାଇଛି ଏବଂ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ସେ ଏହା ମଧ୍ୟ କହିଛନ୍ତି ଯେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଅତିରିକ୍ତ ସୁରକ୍ଷା ବାହିନୀ ମୁତୟନ କରାଯାଇଛି।