ଓମ୍ ବିର୍ଲାଙ୍କ ନାଁରେ କଂଗ୍ରେସର ଅନାସ୍ଥା ନୋଟିସ, ନାହିଁ ରାହୁଲ ଗାନ୍ଧୀଙ୍କ ଦସ୍ତଖତ
୧୧୮ ସାଂସଦଙ୍କ ସମର୍ଥନ, ୪ଟି ପଏଣ୍ଟ ଉପରେ ଗୁରୁତ୍ବ
ନୂଆଦିଲ୍ଲୀ, ୧୦/୦୨: ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ନାଁରେ ଅନାସ୍ଥା ନୋଟିସ୍ ଦେଲା କଂଗ୍ରେସ। ଲୋକସଭା ସେକ୍ରେଟାରୀ ଜେନେରାଲଙ୍କୁ ଓମ୍ ବିର୍ଲାଙ୍କ ବିରୋଧରେ ନୋଟିସ୍ ଦେଇଛି କଂଗ୍ରେସ। ବିରୋଧୀ ଦଳର ନେତାମାନଙ୍କୁ କହିବାକୁ ଅନୁମତି ଦେଉ ନଥିବା ଅଭିଯୋଗ କରିଛି। ୧୧୮ ବିରୋଧୀ ସାଂସଦ ପ୍ରସ୍ତାବକୁ ସମର୍ଥନ କରିଛି।
ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ସରକାରଙ୍କ ବିରୋଧରେ ବିରୋଧୀ ଦଳର ନେତୃତ୍ୱ ନେଇଥିବା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଦସ୍ତଖତ ନୋଟିସରେ ନାହିଁ। ଟିଏମସି ସାଂସଦମାନେ ମଧ୍ୟ ଅନାସ୍ଥା ପ୍ରସ୍ତାବରେ ଦସ୍ତଖତ କରି ନାହାଁନ୍ତି।
ସୂଚନା ଅନୁଯାୟୀ, ବିରୋଧୀ ଦଳ ସମ୍ବିଧାନର ଧାରା 94(c) ଅନୁଯାୟୀ ଲୋକସଭା ସଚିବାଳୟରେ ଏହି ପ୍ରସ୍ତାବର ନୋଟିସ୍ ଦାଖଲ କରିଛନ୍ତି। ବିରୋଧୀ ସାଂସଦମାନେ ବାଚସ୍ପତିଙ୍କ ଉପରେ ପକ୍ଷପାତିତାର ଅଭିଯୋଗ ଆଣିଛନ୍ତି। ବାଚସ୍ପତିଙ୍କୁ ବହିଷ୍କାର କରିବା ପାଇଁ ବିରୋଧୀ ଦଳ ଯେଉଁ ପ୍ରସ୍ତାବ ଆଣିଛି, ସେଥିରେ ଚାରୋଟି ପଏଣ୍ଟ ଉଲ୍ଲେଖ କରାଯାଇଛି।
– ଫେବୃଆରୀ ୨ ତାରିଖରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଗୃହରେ କହିବାରୁ ବାରଣ କରାଯାଇଥିଲା।
– ଫେବୃଆରୀ ୩ ତାରିଖରେ ଆଠ ଜଣ ସାଂସଦଙ୍କ ନିଲମ୍ବନ କରାଯାଇଥିଲା।
– ଫେବୃଆରୀ ୪ ତାରିଖରେ ଜଣେ ଶାସକ ଦଳର ସାଂସଦ ଦୁଇ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ କିନ୍ତୁ ବିରୋଧୀଙ୍କ ଆପତ୍ତି ସତ୍ତ୍ୱେ ତାଙ୍କୁ ବନ୍ଦ କରାଯାଇ ନଥିଲା।
– ବିରୋଧୀ ମହିଳା ସାଂସଦଙ୍କ ଉପରେ ବାଚସ୍ପତିଙ୍କ ମନ୍ତବ୍ୟ।
ଏହି ପ୍ରସ୍ତାବରେ ମୋଟ ୧୧୮ ଜଣ ସାଂସଦ ସ୍ୱାକ୍ଷର କରିଛନ୍ତି, କିନ୍ତୁ ଟିଏମସି ସାଂସଦମାନେ ଏହାକୁ ସମର୍ଥନ କରିନାହାଁନ୍ତି। ଅନାସ୍ଥା ପ୍ରସ୍ତାବ ଆଗତ କରିଥିବା ସାଂସଦମାନେ କହିଛନ୍ତି ଯେ ସେମାନେ ବ୍ୟକ୍ତିଗତ ଭାବରେ ବାଚସ୍ପତିଙ୍କୁ ସମ୍ମାନ କରନ୍ତି, କିନ୍ତୁ ତାଙ୍କର ମନୋଭାବ ପକ୍ଷପାତପୂର୍ଣ୍ଣ ହୋଇଛି। ଲୋକସଭା ବାଚସ୍ପତି ନୋଟିସର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲୋକସଭାର ମହାସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।