‘ଓଡ଼ିଶାର ଖଣିଜ ସମ୍ପଦରୁ ଦେଶ ଲାଭବାନ, ରାଜ୍ୟକୁ କ୍ଷତିପୂରଣ ନାହିଁ’
କୋଇଲା ରୟାଲଟି ବୃଦ୍ଧି ପାଇଁ ସାଂସଦ ମାନସ ମଙ୍ଗରାଜଙ୍କ ଦାବି
ନୂଆଦିଲ୍ଲୀ, ୧୩/୦୨: ରାଜ୍ୟସଭାରେ ବିଜେଡି ସାଂସଦ ଶ୍ରୀ ମାନସ ରଞ୍ଜନ ମଙ୍ଗରାଜ ଓଡ଼ିଶାର ସ୍ୱାର୍ଥ ଦୃଷ୍ଟିରୁ କୋଇଲା ରୟାଲଟି ହାରର ତୁରନ୍ତ ସଂଶୋଧନ ପାଇଁ ଦୃଢ଼ ଦାବି ଉପସ୍ଥାପନ କରିଛନ୍ତି।
ଗୁରୁବାର ଶୂନ୍ୟକାଳ ବିତର୍କ ସମୟରେ ସାଂସଦ ଶ୍ରୀ ମଙ୍ଗରାଜ କହିଥିଲେ ଯେ, ଦେଶରେ କୋଇଲା ଉତ୍ପାଦନ ବର୍ଷ ବର୍ଷ ଧରି ବଢ଼ି ଚାଲିଥିବା ସତ୍ତ୍ୱେ ଗତ ୧୦ବର୍ଷରୁ ଅଧିକ ସମୟ ହେଲା କୋଇଲା ରୟାଲଟି ହାରରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଏହା ଓଡ଼ିଶା ପ୍ରତି ଏକ ଅତ୍ୟନ୍ତ ଅବିଚାର ଓ ଅନ୍ୟାୟ।
ଏହି ଦୀର୍ଘ ବିଳମ୍ବ କାରଣରୁ ଓଡ଼ିଶା ପ୍ରତିବର୍ଷ ୧୦,୦୦୦ କୋଟିରୁ ଅଧିକ ଟଙ୍କାର ଆୟ ହରାଉଛି। ଏହି ଅର୍ଥ ରାଜ୍ୟର ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଜନକଲ୍ୟାଣମୂଳକ ଯୋଜନାଗୁଡ଼ିକ ପାଇଁ ବ୍ୟବହୃତ ହୋଇପାରୁନଥିବାରୁ ରାଜ୍ୟର ଅଗ୍ରଗତି ବାଧାପ୍ରାପ୍ତ ହେଉଛି।
ଦେଶର ବିଦ୍ୟୁତ୍ ଉତ୍ପାଦନ ଓ ଶକ୍ତି ସୁରକ୍ଷାରେ ଓଡ଼ିଶାର ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଆସିଛି। ରାଜ୍ୟର ବିପୁଳ ଖଣିଜ ସମ୍ପଦରୁ ସମଗ୍ର ଦେଶ ଲାଭାନ୍ୱିତ ହେଉଥିବା ବେଳେ ଓଡ଼ିଶାବାସୀଙ୍କୁ ଅଧିକ ମୂଲ୍ୟ ଦେବାକୁ ପଡ଼ୁଛି।
ଖଣି ଖନନ କାର୍ଯ୍ୟ ଯୋଗୁଁ ପରିବେଶ ଧ୍ୱଂସ, ଜଙ୍ଗଲ କ୍ଷୟ, ବାୟୁ ଓ ଜଳ ପ୍ରଦୂଷଣ ସହିତ ହଜାର ହଜାର ପରିବାର ବିସ୍ଥାପିତ ହେଉଛନ୍ତି। ଏହାଦ୍ୱାରା ସ୍ଥାନୀୟ ବାସିନ୍ଦାଙ୍କ ଜୀବିକା ନିର୍ବାହ ବ୍ୟାହତ ହେଉଛି ଓ ଜନଜୀବନ କ୍ଷତିଗ୍ରସ୍ତ ହେଉଛନ୍ତି।
ଖଣି କାର୍ଯ୍ୟ କାରଣରୁ ଓଡ଼ିଶାର ଜୈବବିବିଧତା ଓ ପରିବେଶ ଗମ୍ଭୀର ଭାବେ ପ୍ରଭାବିତ ହେଉଥିବା ସତ୍ତ୍ୱେ ଯଥୋଚିତ କ୍ଷତିପୂରଣ ପ୍ରଦାନ କରାଯାଉନାହିଁ।
ଯେଉଁ ରାଜ୍ୟଗୁଡ଼ିକ ଦେଶର ବିକାଶ ଓ ଶକ୍ତି ଚାହିଦା ପୂରଣ ପାଇଁ ପ୍ରାକୃତିକ ସମ୍ପଦ ଯୋଗାଇ ଦେଉଛନ୍ତି, ସେମାନେ ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହେବା ଉଚିତ୍ ନୁହେଁ।
ତେଣୁ ଓଡ଼ିଶାର ସମୁଦାୟ ସ୍ୱାର୍ଥ ରକ୍ଷା ପାଇଁ ଯଥାଶୀଘ୍ର କୋଇଲା ରୟାଲଟି ହାରରେ ଯଥୋଚିତ ବୃଦ୍ଧି ଓ ସଂଶୋଧନ କରିବାକୁ ସାଂସଦ ଶ୍ରୀ ମଙ୍ଗରାଜ ରାଜ୍ୟସଭାରେ ଦୃଢ଼ ଭାବେ ଦାବି ଉପସ୍ଥାପନ କରିଛନ୍ତି। ସେ ଆହୁରି ମଧ୍ୟ ପରାମର୍ଶ ଦେଇଛନ୍ତି ଯେ ରୟାଲଟି ଦରକୁ ବଜାର ମୂଲ୍ୟ ଏବଂ ମୁଦ୍ରାସ୍ଫୀତି ସହ ସଂଯୋଜିତ କରାଯାଇ ନିୟମିତ ସଂଶୋଧନ କରାଯିବା ଉଚିତ୍।