ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ

ଓଡ଼ିଶା ରାଜନୀତିରେ ଏକ ଯୁଗର ଅନ୍ତ

ଭୁବନେଶ୍ୱର, ୧୩/୦୨: ବରିଷ୍ଠ ରାଜନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସକାଳ ୯ଟା ୩୦ରେ ତାଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା।

୨ ମାର୍ଚ୍ଚ ୧୯୩୯ରେ ଜନ୍ମିତ କାହ୍ନୁଚରଣ ଲେଙ୍କା କଂଗ୍ରେସର ଜଣେ ଭେଟେରାନ ନେତା ଥିଲେ। ୧୯୭୭ ମସିହାରେ କଂଗ୍ରେସରେ ଯୋଗ ଦେଇଥିଲେ। ୧୯୮୮ରେ କଂଗ୍ରେସର ସଭାପତି ଦାୟିତ୍ୱ ନିର୍ବାହ କରିଥିଲେ।

୧୯୯୫ରୁ ୨୦୦୦ ମସିହା ଯାଏଁ ଚୌଦ୍ଵାର ବିଧାୟକ ଥିଲେ। ୧୯୮୮ରୁ ୯୪ ମସିହା ଯାଏଁ ରାଜ୍ୟସଭା ସାଂସଦ ଥିଲେ। ପି. ଭି. ନରସିଂହ ରାଓଙ୍କ ସରକାରରେ କେନ୍ଦ୍ର ରେଳ ଓ କୃଷି ରାଷ୍ଟ୍ରମନ୍ତ୍ରୀ ଥିଲେ। ୧୯୮୧ରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସରକାରରେ ରାଜସ୍ୱ ଓ ଅବକାରୀ ମନ୍ତ୍ରୀ ଥିଲେ।

ଶ୍ରୀଯୁକ୍ତ ଲେଙ୍କା ଓଡ଼ିଶାର ଜଣେ ପ୍ରମୁଖ ରାଜନୈତିକ ବ୍ୟକ୍ତିତ୍ୱ ଥିଲେ ଏବଂ କିଛି ଦଶନ୍ଧି ଧରି ରାଜ୍ୟ ଏବଂ ଜାତୀୟ ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।