ଆନ୍ତର୍ଜାତୀୟ ହାଫ୍ ମାରାଥନରେ ୫ କିଲୋମିଟର ଦୌଡ଼ ପୂର୍ଣ୍ଣ କଲେ ଝାରସୁଗୁଡ଼ା ଜିଲ୍ଲାପାଳ
ଫିଟ୍ନେସ୍ର ବାର୍ତ୍ତା ଦେଲେ
ଝାରସୁଗୁଡା, ୧୫/୦୨(ଦର୍ଶନ ନ୍ୟୁଜ): ଐତିହାସିକ ହୀରାକୁଦ ମାଟିବନ୍ଧ ଉପରେ ଆଜି ଏକ ଭବ୍ୟ ତଥା ଉତ୍ସାହଜନକ ପରିବେଶ ମଧ୍ୟରେ ‘ଏମସିଏଲ୍ ହୀରାକୁଦ ଇଣ୍ଟରନ୍ୟାସନାଲ ହାଫ୍ ମାରାଥନ୍-୨୦୨୬’ ଅନୁଷ୍ଠିତ ହୋଇଯାଇଛି । ଏହି ବିଶ୍ୱସ୍ତରୀୟ କ୍ରୀଡ଼ା ମହୋତ୍ସବରେ ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି । ଜଣେ ଦକ୍ଷ ପ୍ରଶାସକ ଭାବେ ନିଜର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ମଧ୍ୟରୁ ସମୟ ବାହାର କରି ସେ ନିଜେ ମଇଦାନକୁ ଓହ୍ଲାଇଥିଲେ ଏବଂ ୫ କିଲୋମିଟର ଦୌଡ଼ ସଫଳତାର ସହ ପୂର୍ଣ୍ଣ କରି ସମସ୍ତଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ଜନସାଧାରଣଙ୍କ ସହ ତାଳ ଦେଇ ଜିଲ୍ଲାପାଳଙ୍କ ଏହି ଦୌଡ଼ ‘ଫିଟ୍ ଇଣ୍ଡିଆ’ ଅଭିଯାନକୁ ଅଧିକ ଗତିଶୀଳ କରିବା ସହ ଯୁବପିଢ଼ିଙ୍କ ମଧ୍ୟରେ ନୂଆ ଜୋସ୍ ଭରିଛି । ଏହି ଆନ୍ତର୍ଜାତୀୟ ମାରାଥନକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ କହିଥିଲେ ଯେ, ଭାରତ ୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ପ୍ରସ୍ତୁତି କରୁଥିବା ବେଳେ, ଓଡ଼ିଶାର ପ୍ରତିଭାବାନ ପିଲାମାନଙ୍କୁ ବିଶ୍ୱସ୍ତରୀୟ ମେଡାଲ ଜିତିବା ପାଇଁ ଆମକୁ ୨୦୨୬ରୁ ହିଁ ପ୍ରୟାସ କରିବାକୁ ହେବ । ଏହି ମାରାଥନ କେବଳ ଏକ ଦୌଡ଼ ନୁହେଁ, ବରଂ ଏହା ସମ୍ବଲପୁରର ସ୍ପୋର୍ଟ୍ସ ମ୍ୟାନ୍ ସ୍ପିରିଟ୍ ଏବଂ ଦୃଢ଼ ସଂକଳ୍ପର ପ୍ରତୀକ । ୨୧ କିମି, ୧୦ କିମି, ୫ କିମି ଏବଂ ୧.୫ କିମି ଭଳି ବିଭିନ୍ନ ବର୍ଗରେ ଆୟୋଜିତ ଏହି ପ୍ରତିଯୋଗିତାରେ ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟ ଏବଂ ପ୍ରାୟ ୧୦ଟି ବିଦେଶୀ ରାଷ୍ଟ୍ରରୁ ୧୦,୦୦୦ରୁ ଅଧିକ ଧାବକ ଅଂଶଗ୍ରହଣ କରିଥିଲେ । ହୀରାକୁଦର ମନୋରମ ପ୍ରାକୃତିକ ପରିବେଶ ମଧ୍ୟରେ ଅନୁଷ୍ଠିତ ଏହି ମାରାଥନରେ କେନିଆ, ଇଥିଓପିଆ, ନାଇଜେରିଆ ଏବଂ ନେପାଳ ଭଳି ଦେଶର ଧାବକମାନେ ନିଜର କ୍ରୀଡ଼ା କୌଶଳ ପ୍ରଦର୍ଶନ କରିଥିଲେ । କେନ୍ଦ୍ରମନ୍ତ୍ରୀ ଏହି ଅବସରରେ ମହାନଦୀରେ ବୋଟିଂ କରିବାର ମଜା ନେବା ସହ ଏହି ଆୟୋଜନ ସମ୍ବଲପୁରକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଦେବ ବୋଲି ଆଶା ପ୍ରକଟ କରିଥିଲେ । କାର୍ଯ୍ୟକ୍ରମରେ ରାଜ୍ୟର ସାଂସଦ, ବିଧାୟକ ଏବଂ ବରିଷ୍ଠ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି କ୍ରୀଡ଼ାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ ।