ଶତାୟୁ ସମାଜସେବୀଙ୍କ ପରଲୋକ

ଖୁଣ୍ଟୁଣି ଅଞ୍ଚଳରେ ଶୋକର ଛାୟା

ଆଠଗଡ, ୧୫/୦୨ (ଦର୍ଶନ ନ୍ୟୁଜ): ଖୁଣ୍ଟୁଣି ନିବାସି ଶତାୟୁ ସମାଜସେବୀ ଓ ଖୁଣ୍ଟୁଣି ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ବିଶ୍ଵନାଥ ଦାସ ଙ୍କ ଆଜି ରବିବାର ସକାଳେ ୧୦୨ ବର୍ଷ ବୟସ ରେ ପରଲୋକ ହୋଇଯାଇଛି। ସେ ଦୀର୍ଘ ବର୍ଷ ଧରି ବାର୍ଦ୍ଧ୍ୟକ୍ୟ ରୋଗରେ ପୀଡିତ ଥିଲେ। ଜଣେ ସମାଜବାଦୀ ନେତା ଭାବେ ରାଜନୈତିକ ଜୀବନ ଆରମ୍ଭ କରି ଶେଷରେ ସେ ସ୍ଵର୍ଗତ ବିଜୁ ବାବୁ ଆଦର୍ଶ ରେ ଅନୁପ୍ରାଣିତ ହୋଇଥିଲେ। ସେ ଖୁଣ୍ଟୁଣି ଗ୍ରାମ ପଞ୍ଚାୟତର ସରପଞ୍ଚ ଭାବେ ୩ ଥର ନିର୍ବାଚିତ ହୋଇଥିଲେ।ତାଙ୍କ କାର୍ଯ୍ୟକାଳ ସମୟରେ ସେ ଅବିଭକ୍ତ ଖୁଣ୍ଟୁଣି ଗ୍ରାମପଞ୍ଚାୟତର ବହୁ ଉନ୍ନୟନ କାର୍ଯ୍ୟ କରିଥିଲେ। ତାଙ୍କ ପରଲୋକ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିଥିଲେ। ଆଠଗଡ ବିଧାୟକ ରଣେନ୍ଦ୍ରପ୍ରତାପ ସ୍ଵାଇଁ ତାଙ୍କ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଭାଜପା କଟକ ଜିଲ୍ଲା ଗ୍ରାମୀଣ ସଭାପତି ରାମନାରାୟଣ ମହାନ୍ତି ତାଙ୍କ ଶବାଧରକୁ କାନ୍ଧରେ ନେଇଯାଇଥିଲେ। ଜଣେ ଅଣକଂଗ୍ରେସ ରାଜନେତା ଭାବେ ସେ ଆଠଗଡରେ ପରିଚିତ ଥିଲେ। ତାଙ୍କର ଏକମାତ୍ର ପୁତ୍ର ଅଶୋକ ଦାସ ମୁଖାଗ୍ନି ପ୍ରଦାନ କରିଥିଲେ। ତାଙ୍କ ବିୟୋଗରେ ଖୁଣ୍ଟୁଣି ଅଂଚଳରେ ଶୋକର ଛାୟା ଖେଳିଯାଇଛି।