ମୁମ୍ବାଇର ପ୍ରସିଦ୍ଧ ସଙ୍ଗୀତଜ୍ଞ ନୀତିଶ ମୁକେଶଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
‘ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟ ପ୍ରକୃତ ପରିଚୟ’
ଭୁବନେଶ୍ୱର, ୧୬/୦୨: ପବିତ୍ର ମହାଶିବରାତ୍ରି ଉପଲକ୍ଷେ ଏକାମ୍ର ସାଂସ୍କୃତିକ ସଂସଦ ପକ୍ଷରୁ ଏକ ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି, ଯେଉଁଠାରେ ମୁମ୍ବାଇର ସୁନାମଧନ୍ୟ ସଙ୍ଗୀତଜ୍ଞ ନୀତିଶ ମୁକେଶଙ୍କୁ ତାଙ୍କର ଅତୁଳନୀୟ କଳା ନିପୁଣତା ପାଇଁ ସମ୍ମାନିତ କରାଯାଇଛି। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୀତିଶଙ୍କୁ ସମ୍ବର୍ଦ୍ଧିତ କରିବା ସହ ତାଙ୍କୁ ଉତ୍ସାହିତ କରିଥିଲେ। ଏହି ଗରିମାମୟ ସନ୍ଧ୍ୟାରେ ମାନ୍ୟବର ବାଚସ୍ପତି ସୁରମା ପାଢ଼ୀ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ବିଶିଷ୍ଟ ଜନନେତା ସୁର ରାଉତରାୟଙ୍କ ପରି ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୋଭା ବର୍ଦ୍ଧନ କରିଥିଲେ। ଏହି ଅବସରରେ ହାଇଟେକ ଗ୍ରୁପ୍ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ ତିରୁପତି ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ କଳାକାରମାନଙ୍କୁ ପ୍ରଶଂସା କରିବା ସହ କହିଥିଲେ ଯେ, ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟ ହେଉଛି ଆମର ପ୍ରକୃତ ପରିଚୟ। ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପୀଠରେ ଆୟୋଜିତ ଏହି ସାଂସ୍କୃତିକ ସନ୍ଧ୍ୟା କେବଳ ଓଡ଼ିଶାରେ ସୀମିତ ନରହି ସମଗ୍ର ଭାରତବର୍ଷରେ ଲୋକପ୍ରିୟ ହେଉ ଏବଂ ଓଡ଼ିଶାର ସଂସ୍କୃତି ବିଶ୍ୱବିନୀତା ହେଉ ବୋଲି ସେ ନିଜର ଆଶା ପ୍ରକଟ କରିଥିଲେ। କାର୍ଯ୍ୟକ୍ରମଟି ଭକ୍ତି ଏବଂ ସଙ୍ଗୀତର ଏକ ଅପୂର୍ବ ସମନ୍ୱୟରେ ଭରପୂର ଥିଲା, ଯାହା ଶ୍ରଦ୍ଧାଳୁ ଓ କଳାପ୍ରେମୀଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା।