ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ

ଗୃହ ଦୁଇ ଥର ମୁଲତବୀ ରଖିଲେ ବାଚସ୍ପତି

ଭୁବନେଶ୍ୱର, ୧୮/୦୨: ବିଧାନସଭାର ବଜେଟ ଅଧିବେଶନର ଦ୍ୱିତୀୟ ଦିନରେ ପ୍ରବଳ ହଟ୍ଟଗୋଳ ଭିତରେ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖାଯାଇଛି। ବିରୋଧୀ ଦଳ ସଦସ୍ୟମାନେ ଧାନ କିଣା ଅନିୟମିତତା ଅଭିଯୋଗରେ ଗୃହ କାର୍ଯ୍ୟ ବାଧାପ୍ରାପ୍ତ କରିଥିଲେ।

ଧାନମଣ୍ଡି ସମସ୍ୟାକୁ ନେଇ ବିଜେଡି ଓ କଂଗ୍ରେସ‌ ପ୍ରତିବାଦ କରିଥିଲା। ନାରାବାଜୀ ସହ ଗୃହରେ ଧାନ ରଖି ବିରୋଧୀଙ୍କ ହୋହଲ୍ଲା ଜାରି ରଖିଥିଲେ। ପ୍ରତିବାଦରେ ବିଜେଡି ଏବଂ କଂଗ୍ରେସ ଦଳର ସଦସ୍ୟମାନେ ସ୍ଲୋଗାନ ଦେଇଥିଲେ ଏବଂ ରିପୋର୍ଟରଙ୍କ ଟେବୁଲ ଉପରେ ଧାନ ଗଦା ଥୋଇ ପ୍ରତିବାଦ କରିଥିଲେ। ମୁଣ୍ଡରେ ଧାନ ମୁଣ୍ଡାଇ ଗୃହକୁ ଆସିଥିଲେ ରୋମାଞ୍ଚ ରଞ୍ଜନ ବିଶ୍ଵାଳ।

ବାଚସ୍ପତି ସୁରମା ପାଢ଼ୀଙ୍କ ଅପିଲ ସତ୍ତ୍ୱେ ବିରୋଧୀ ସଦସ୍ୟମାନେ ପ୍ରତିବାଦରୁ ନ ଓହରିବାରୁ ଗୃହକୁ ଦୁଇଥର ମୁଲତବୀ କରାଯାଇଥିଲା – ପ୍ରଥମେ ପୂର୍ବାହ୍ନ ୧୧:୩୦ ପର୍ଯ୍ୟନ୍ତ ଏବଂ ପରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ।