ବାଣ ବିସ୍ଫୋରଣରେ ଗୋଟିଏ ପରିବାରର ୩ ମୃତ

ଅଫୁଟା ବାଣ ଜବତ, ତଦନ୍ତ ଆରମ୍ଭ

ଜଗତପୁର, ୨୦/୦୨: କଟକ ଜଗତପୁର ଥାନା ଅନ୍ତର୍ଗତ ପାଗା ନିକଟସ୍ଥ ମହାଜନପୁର ଗାଁରେ ଗୁରୁତର ସନ୍ଧ୍ୟା ୭ଟାରେ ଭୟଙ୍କର ବାଣ ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ଜଣେ ତିନି ବର୍ଷର ଝିଅ ସମେତ ୩ ଜଣଙ୍କର ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ଅନୁସାରେ, ଆଗକୁ ଦୋଳ ଆସୁଥିବା ବେଳେ ଗାଁର ଗୋବିନ୍ଦ ନାୟକଙ୍କ ଘରେ ବାଣ ମହଜୁଦ ଥିଲା। ବିଦ୍ୟୁତ୍ ସର୍ଟସର୍କିଟରୁ ଘରେ ନିଆଁ ଲାଗିଯାଇଥିଲା। ଯାହା ଫଳରେ ମହଜୁଦ ବାଣ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣ ବେଳେ ଗୋବିନ୍ଦ ଘରେ ନଥିଲେ। କିନ୍ତୁ ଘରେ ତାଙ୍କ ସ୍ତ୍ରୀ ସୁଧାଂଶୁବାଳା, ବୋହୂ ପ୍ରଭାତୀ ଓ ୩ ବର୍ଷୀୟା ନାତୁଣୀ ସ୍ଥିତିପ୍ରଜ୍ଞା ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଗତ କାଲି ଚିକିତ୍ସାଧୀନ ଅବସ୍ଥାରେ ପ୍ରଭାତୀ ଓ ସ୍ଥିତିପ୍ରଜ୍ଞାଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ସୁଧାଂଶୁବାଳାଙ୍କ ମୃତ୍ୟୁ ଘଟିଛି।

ବିସ୍ଫୋରଣରେ କୋଠାର ଛାତ ଉଡ଼ିଯିବା ସହ କାନ୍ଥ ଭୁଶୁଡ଼ି ପଡିଛି। ପୋଲିସ କିଛି ଅଫୁଟା ବାଣ ଓ ବାଣ ପ୍ରସ୍ତୁତି ସାମଗ୍ରୀ ଜବତ କରିଛି। ତଦନ୍ତ ଆରମ୍ଭ କରିଛି ପୋଲିସ।