ସୋଆରେ ଏକ ଦିବସୀୟ ‘ବିକଶିତ ଭାରତ ୟୁଥ ପାର୍ଲିଆମେଂଟ-୨୦୨୬’ କାର୍ଯ୍ୟକ୍ରମ ଅନୁଷ୍ଠିତ

ନବୀନ ଭାରତ ଓ ନବୀନ ଓଡ଼ିଶା ଗଠନ କରିବାରେ ଯୁବପିଢ଼ିଙ୍କ ଭୂମିକା ସ୍ୱତନ୍ତ୍ର

ଭୁବନେଶ୍ୱର, ୨୫/୦୨: କେନ୍ଦ୍ର ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଅନ୍ତର୍ଗତ ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌) ଏବଂ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ବୁଧବାର ଖୋର୍ଦ୍ଧା ଜିଲ୍ଲା ନିମନ୍ତେ ବିକଶିତ ଭାରତ ୟୁଥ ପାର୍ଲିଆମେଂଟ -୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଆଜିର ଯୁବପିଢ଼ିଙ୍କୁ ଭବିଷ୍ୟତର ସର୍ବଶ୍ରେଷ୍ଠ ରାଷ୍ଟ୍ର ନିର୍ମାଣକାରୀ ଭାବେ ଗଢ଼ି ତୋଳିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ‘ବିକଶିତ ଭାରତ – ୨୦୪୭’ ସ୍ୱପ୍ନ ଏକ ମହାନ ପ୍ରୟାସ ବୋଲି ସେ କହିଥିଲେ ।

ନବୀନ ଭାରତ ଓ ନବୀନ ଓଡ଼ିଶା ଗଠନ କରିବାରେ ଯୁବପିଢ଼ିଙ୍କ ଭୂମିକା ସ୍ୱତନ୍ତ୍ର । ଏହି ବିକଶିତ ଭାରତ ୟୁଥ ପାର୍ଲିଆମେଂଟ- ୨୦୨୬ରେ ଭାରତୀୟ ଗଣତନ୍ତ୍ରର ଜରୁରୀକାଳୀନ ପରିସ୍ଥିତିର ୫୦ ବର୍ଷ ପୂର୍ତୀରେ ଏହା ଦ୍ୱାରା ସମ୍ବିଧାନରେ ଯେଉଁ ସବୁ ପରିବର୍ତନ ଦେଖାଯାଇଥିଲା ଏବଂ ବର୍ତମାନ ପରିସ୍ଥିତରେ କେଉଁ ସବୁ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ସେ ନେଇ ମତ ରଖିଥିଲେ ।

ଦେଶ ଓ ରାଜ୍ୟକୁ ଶକ୍ତିଶାଳୀ ଓ ବିକଶିତ କରିବାକୁ ହେଲେ ପ୍ରତ୍ୟେକ ଯୁବକଯୁବତୀ ନିଶା ମୁକ୍ତ ହେବା ପାଇଁ ସଂକଳ୍ପବଦ୍ଧ ହେବା ଉଚିତ୍ ବୋଲି ସେ ଆହ୍ୱାନ ଦେଇଥିଲେ । ସମ୍ପ୍ରତି ଏଆଇ ଯୁଗରେ ଏହି ଜ୍ଞାନ କୌଶଳକୁ ସକରାତ୍ମକ ଭାବେ ବ୍ୟବହାର କରିବା ଆବଶ୍ୟକ । ସ୍ୱାଧୀନତାର ୭୫ ବର୍ଷ ପୂର୍ତୀରେ ସାରା ବିଶ୍ୱରେ ଅର୍ଥନୀତି କ୍ଷେତ୍ରରେ ଭାରତ ୪ର୍ଥ ସ୍ଥାନରେ ପହଂଚିପାରିଛି । ନିଜ ଭିତରେ ସଂକଳ୍ପ ଓ ସ୍ୱପ୍ନ ରଖି ୨୦୪୭ ମସିହାରେ ସାରା ବିଶ୍ୱରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିବା ନିମନ୍ତେ ବର୍ତମାନ ଓ ଭବିଷ୍ୟତର କାର୍ଯ୍ୟକ୍ରମ କ’ଣ ରହିବା ଦରକାର ଏହା ପର୍ଯ୍ୟାଲୋଚନା କରିବା ଉଚିତ୍ ବୋଲି ସେ କହିଥିଲେ ।

ଆଗାମୀ ଦିନ ମାନଙ୍କରେ ଓଡ଼ିଶାର ସଂସ୍କୃତି ଓ କଳାର ପ୍ରଚାର ପ୍ରସାର କରିବା ସହ ନିଜ ଭିତରେ ନେତୃତ୍ୱ ମନୋଭାବ ନେଇ ବିକଶିତ ଭାରତ ଓ ବିକଶିତ ଓଡ଼ିଶା ଗଠନ କରିବା ଦିଗରେ ପ୍ରତିଯୋଗୀମାନଙ୍କୁ ଶ୍ରୀ ସିଂ ଉତ୍ସାହିତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଏନ୍‌ଏସ୍‌ଏସ୍ ଭୁବନେଶ୍ୱରର ଆଂଚଳିକ ନିର୍ଦ୍ଦେଶିକ ସୁଶ୍ରୀ ସରିତା ପଟେଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ଭାରତ ସରକାର ଏହି ‘ବିକଶିତ ଭାରତ ୟୁଥ ପାର୍ଲିଆମେଂଟ – ୨୦୨୬’ ଦ୍ୱାରା ଅନେକ ଯୁବ ପ୍ରତିଭାଙ୍କୁ ଆଗକୁ ବଢ଼ିବାର ସୁଯୋଗ ପ୍ରଦାନ କରିଥିବା ବେଳେ ସେମାନେ ନିଜର ପ୍ରତିଭା, ବିଚାର ଓ ଦାୟିତ୍ୱକୁ ସର୍ବସମ୍ମୁଖରେ ଉପସ୍ଥାପିତ କରିବା ପାଇଁ ଏହି ମଂଚ ବେଶ ସହାୟକ ହୋଇପାରିଛି ।

ସୋଆର ଉପକୁଳପତି ପ୍ରଫେସର ପ୍ରଶାନ୍ତ କୁମାର ପାତ୍ର ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ‘ବିକଶିତ ଭାରତ ୟୁଥ ପାର୍ଲିଆମେଂଟ – ୨୦୨୬’ର ମୂଳ ଉଦ୍ଦେଶ୍ୟ ବିଷୟରେ ବକ୍ତବ୍ୟ ରଖିଥିଲେ । ପ୍ରତିଯୋଗୀମାନେ ପୁରସ୍କାର ନିମନ୍ତେ ପ୍ରତିଯୋଗିତାରେ ଅଂଶ ଗ୍ରହଣ ନ କରି ଜ୍ଞାନ ଆହରଣ କରିବା ଜରୁରୀ ବୋଲି ସେ କହିଥିଲେ ।

ଏହି କାର୍ଯ୍ୟକ୍ରମର ମୁଖ୍ୟ ପ୍ରସଙ୍ଗ “ଫିଫ୍‌ଟି ଇୟର୍ସ ଅଫ୍ ଏମର୍ଜେନ୍ସି: ଲେସନ୍‌ସ ଫର ଇଣ୍ଡିଆନ୍ ଡେମୋକ୍ରେସି” ରହିଥିଲା । ଏହି ପ୍ରସଙ୍ଗରେ ପ୍ରତିଯୋଗୀମାନେ ଇଂରାଜୀ, ଓଡ଼ିଆ ଏବଂ ହିନ୍ଦୀ ଭାଷାରେ ନିଜର ବକ୍ତୃତା ପ୍ରଦାନ କରିଥିଲେ । ଏଥିରେ ୨୦୦ପ୍ରତିଯୋଗୀ ଭାଗ ନେଇଥିଲେ ।

ଖୋର୍ଦ୍ଧା ଜିଲ୍ଲାର ମେରା ୟୁବା ଭାରତର ଡିଷ୍ଟ୍ରିକ୍ଟ ୟୁଥ ଅଫିସର ତଥା ପ୍ରୋଗ୍ରାମ କୋଅର୍ଡିନେଟର ଶ୍ରୀ ନିଖିଲ କେ., ଏନ୍‌ଏସ୍‌ଏସ୍ ଭୁବନେଶ୍ୱରର ୟୁଥ ଅଫିସର ଶ୍ରୀ ଏ.ଏସ୍‌. କବିର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜର ବକ୍ତବ୍ୟ ରଖି ବିକଶିତ ଭାରତ ଏବଂ ୫୦ ବର୍ଷର ଗଣତନ୍ତ୍ର ଉପରେ ଆଧାରିତ ବିଷୟବସ୍ତୁ ଉପରେ ଆଲୋଚନା କରିଥିଲେ । ଏହି ପ୍ରତିଯୋଗୀମାନଙ୍କ ମଧ୍ୟରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ସହ ଜାତୀୟ ସ୍ତରୀୟ ପାର୍ଲାମେଂଟକୁ ମନୋନୀତ ହେବେ ବୋଲି ଆୟୋଜକ ସୂଚନା ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ସ୍ୱାଗତ ଭାଷଣ ଦେଇ ପ୍ରତିଯୋଗୀ ଓ ବର୍ତମାନର ଯୁବପିଢ଼ି ଆଗାମୀ ଦିନରେ ନିଜର ତଥା ରାଷ୍ଟ୍ରର ଉନ୍ନତି ନିମନ୍ତେ ଦାୟିତ୍ୱ ବହନ କରିବା ସହିତ ଜଣେ ଜଣେ ଶ୍ରେଷ୍ଠ ନେତା ଭାବେ ବିକଶିତ ଭାରତ ୨୦୪୭ର ସ୍ୱପ୍ନକୁ ସାକାର କରିପାରିବେ ବୋଲି ସେ କହିଥିଲେ ।

ଶେଷରେ ଏନ୍‌ଏସଏସ୍‌ର ସଂଯୋଜକ ପ୍ରଫେସର କମଳ ଲୋଚନ ମହନ୍ତ ଉପସ୍ଥିତ ରହି କାଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ଦେବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।