ନାଲକୋ ପକ୍ଷରୁ ଆଇଏ୯୧ ଗ୍ରେଡ଼ ଆଲୁମିନିୟମ ଆଲୟ ଇଙ୍ଗଟର ବଜାର ପ୍ରବେଶ

ଆଲୟ ଇଙ୍ଗଟ କ୍ଷୟ ପ୍ରତିରୋଧି ଓ ଯାନ୍ତ୍ରିକ କ୍ଷମତା ବିଶିଷ୍ଟ

ଭୁବନେଶ୍ୱର, ୨୫।୦୨: ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଲୋକ ଉଦ୍ୟୋଗ, ନ୍ୟାସଳନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ(ନାଲକୋ)ଏକ ସ୍ଵତନ୍ତ୍ର ଆଲୁମିନିୟମ ଆଲୟ ଇଙ୍ଗଟ ଆଇଏ୯୧ ର ବଜାରପ୍ରବେଶ କରାଇଛି । ଆଇଏ୯୧ ହେଉଛି ଏକ ଉଚ୍ଚ-କାର୍ଯ୍ୟଦକ୍ଷତା ତଥା ସିଲିକନ୍-ଆଧାରିତ କାଷ୍ଟିଂ ଆଲୟ ଯାହାକୁ କାଷ୍ଟେବିଲିଟିର ସର୍ବୋତ୍ତମ ସନ୍ତୁଳନ, ଯାନ୍ତ୍ରିକ କ୍ଷମତା ଏବଂ କ୍ଷୟ ପ୍ରତିରୋଧି ଭଳି ବୈଶିଷ୍ଟ୍ୟ ସହ ତିଆରି କରାଯାଇଛି । ଗତକାଲି କମ୍ପାନୀର କୋଲକାତା ଷ୍ଟକୟାର୍ଡରେ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ନିର୍ଦ୍ଦେଶକ (ବାଣିଜ୍ୟିକ) ଶ୍ରୀ ଅନିଲ କୁମାର ସିଂହ ଆନୁଷ୍ଠାନିକ ଭାବରେ ଏହି ଉତ୍ପାଦର ଶୁଭାରମ୍ଭ କରିଥିଲେ । ଏହି ଇଙ୍ଗଟ ଉନ୍ନତ କାଷ୍ଟିଂ ପ୍ରୟୋଗ ପାଇଁ ଡିଜାଇନ୍ ହୋଇଥିବା ବେଳେ, ଗ୍ରାଭିଟି ଡାଏ କାଷ୍ଟିଂ ତଥା ନିମ୍ନ-ଚାପ ଡାଏ କାଷ୍ଟିଂ ପାଇଁ ଉପଯୁକ୍ତ ଅଟେ । ଏହା ମୁଖ୍ୟତଃ ଅଟୋମୋଟିଭ୍, ବୈଦ୍ୟୁତିକ ଏବଂ ଶକ୍ତି ଉପକରଣ, ଶିଳ୍ପ କ୍ଷେତ୍ର ତଥା ଫାଉଣ୍ଡ୍ରିରେ ବ୍ୟବହୃତ ହୋଇଥାଏ । ଉତ୍ପାଦନ ଏବଂ ବିପଣନ ବିଭାଗକୁ ଅଭିନନ୍ଦନ ଜଣାଇବା ସହ, ସିଏମଡି ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂହ କହିଛନ୍ତି ଯେ, କମ୍ପାନୀର ପରିବର୍ଦ୍ଧିତ ଉତ୍ପାଦ ପୋର୍ଟଫୋଲିଓ ଏହାର ଉଚ୍ଚମାନ ତଥା ମୂଲ୍ୟଯୁକ୍ତ ଉତ୍ପାଦ ଯୋଗାଣ ନିମନ୍ତେ ନାଲକୋର ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଅଛି ।