ସୁଖୋଇ-30MKI ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ ସହିଦ
ଗଭୀର ଦୁଃଖ ପ୍ରକାଶ କଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ
ଗୌହାଟୀ, ୦୬/୦୩: ଉତ୍ତର-ପୂର୍ବ ଭାରତର ରାଜ୍ୟ ଆସାମରେ ଭାରତୀୟ ବାୟୁସେନାର ଏକ ଆଧୁନିକ ଯୁଦ୍ଧ ବିମାନ ସୁଖୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଦୁଇଜଣ ପାଇଲଟ ସହିଦ ହୋଇଛନ୍ତି। ଭାରତୀୟ ବାୟୁସେନା ସ୍କ୍ୱାଡ୍ରନ୍ ଲିଡର ଅନୁଜ ଏବଂ ଫ୍ଲାଇଟ୍ ଲେଫ୍ଟନାଣ୍ଟ ପୂର୍ବେଶ ଦୁରାଗକରଙ୍କ ମୃତ୍ୟୁ ହୋଇଛି। ପୂର୍ବରୁ ବାୟୁସେନାର ସୁଖୋଇ ବିମାନଟି ହଠାତ୍ ରାଡାରରୁ ଗାଏବ ହୋଇଯାଇଥିବା ଖବର ଆସିଥିଲା। କିନ୍ତୁ, ଏବେ ଆସାମର କାର୍ବି ଆଙ୍ଗଲଙ୍ଗ ଅଞ୍ଚଳରେ ଏହାର ଦୁର୍ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି।
ସୂଚନା ଅନୁଯାୟୀ, ବାୟୁସେନାର ସୁଖୋଇ ଯୁଦ୍ଧ ବିମାନଟି ଆସାମର ଜୋରହାଟରୁ ଉଡ଼ାଣ ଆରମ୍ଭ କରିଥିଲା। ବିମାନ ସହିତ ଗୁରୁବାର ସନ୍ଧ୍ୟା ୭:୪୨ ସମୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଲଢ଼ୁଆ ବିମାନଟି ଗୁରୁବାର ସନ୍ଧ୍ୟା ପ୍ରାୟ ୭ଟାରେ ଏକ ତାଲିମ ଅଧିବେଶନ ପାଇଁ ଉଡ଼ାଣ ଭରଥିଲା। କିନ୍ତୁ, କିଛି ସମୟ ପରେ ହଠାତ୍ ଲଢ଼ୁଆ ବିମାନଟି ରାଡାରରୁ ଅଦୃଶ୍ୟ ହୋଇଗଲା। ଜୋରହାଟରୁ ପ୍ରାୟ ୬୦ କିଲୋମିଟର ଦୂର ଆସାମର କାର୍ବି ଆଙ୍ଗଲଙ୍ଗ ଅଞ୍ଚଳରେ ଏକ ବାୟୁସେନା ସୁଖୋଇ ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେନା ଏବଂ ପୋଲିସ ଟିମ୍ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ କରୁଛନ୍ତି। ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ।
ରୁଷ ଦ୍ୱାରା ନିର୍ମିତ ସୁଖୋଇ ବିମାନକୁ ଭାରତୀୟ ବାୟୁସେନାର ମେରୁଦଣ୍ଡ ବୋଲି କୁହାଯାଏ। ବାୟୁସେନା ଏହାର ଉନ୍ନତ ସଂସ୍କରଣ ସୁଖୋଇ-30MKI ବ୍ୟବହାର କରେ। ଭାରତୀୟ ବାୟୁସେନା ଏହି ବିମାନର ୨୦୦ ରୁ ଅଧିକ ୟୁନିଟ୍ ବ୍ୟବହାର କରେ।