୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍!
ଭାରତରେ ପ୍ରଥମ; ମୋବାଇଲ ଫୋବିଆ ରୋକିବାକୁ ଏହି ରାଜ୍ୟର ନୂଆ ପଦକ୍ଷେପ
ବେଙ୍ଗାଲୁରୁ, ୦୬/୦୩: କର୍ଣ୍ଣାଟକରେ ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ କରିବାକୁ ନିଷ୍ପତ୍ତି ନିଆଯାଇଛି। କର୍ଣ୍ଣାଟକ ସରକାର ବର୍ତ୍ତମାନ ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ଓ ମୋବାଇଲ ଫୋନ୍ ବ୍ୟବହାର ଉପରେ ନିଷେଧ ଲଗାଇବାକୁ ବିଚାର କରୁଛନ୍ତି। ମୁଖ୍ୟମନ୍ତ୍ରୀ ସିଦ୍ଧରାମୟା ରାଜ୍ୟର ୨୦୨୬-୨୭ ବଜେଟ୍ରେ ଏହାକୁ ନେଇ ପ୍ରସ୍ତାବ ରଖିଛନ୍ତି।
ପିଲାମାନଙ୍କ ମଧ୍ୟରେ ସୋସିଆଲ ମିଡିଆ ପ୍ରତି ଆସକ୍ତି ବଢ଼ିବା, ଅଧିକ ସ୍କ୍ରିନ୍ ଟାଇମ୍ ଯୋଗୁଁ ମାନସିକ ସ୍ୱାସ୍ଥ୍ୟ ସମସ୍ୟା, ପଢ଼ିବା ଓ ଶୁଣିବାରେ ହ୍ରାସ ଏବଂ ଅନଲାଇନ୍ରେ କ୍ଷତିକାରକ ବିଷୟବସ୍ତୁର ସଂସ୍ପର୍ଶରେ ଆସିବା ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି।
ଏହା ଏବେ ବି ପ୍ରସ୍ତାବିକ ପର୍ଯ୍ୟାୟରେ ଅଛି। ପୂର୍ଣ୍ଣ ନିଷ୍ପତ୍ତି ହୋଇନାହିଁ। ମୁଖ୍ୟମନ୍ତ୍ରୀ ଏହାକୁ ଆଣିବା ପୂର୍ବରୁ ବିଶ୍ୱବିଦ୍ୟାଳୟଳ ଭାଇସ ଚାନ୍ସେଲରମାନଙ୍କ ସହିତ ଆଲୋଚନା କରିଛନ୍ତି। ଶିକ୍ଷାମନ୍ତ୍ରୀ ମଧୁ ବଙ୍ଗାରପ୍ପା କହିଛନ୍ତି ଯେ, ପିଲାମାନେ, ଅଭିଭାବକ ଓ ବିଶେଷଜ୍ଞମାନଙ୍କ ସହ ପରାମର୍ଶ କରି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଅଷ୍ଟ୍ରେଲିଆ ଓ କେତେକ ପଶ୍ଚିମ ଦେଶରେ ଏଭଳି ନିୟମ ଲାଗୁ ହୋଇଥିବାର ଉଦାହରଣ ଦିଆଯାଇଛି।
ସୂଚନାଯୋଗ୍ୟ, ଯଦି ଏହି ନିୟମ ଲାଗୁ ହୁଏ, ତେବେ କର୍ଣ୍ଣାଟକ ଭାରତର ପ୍ରଥମ ରାଜ୍ୟ ହେବ ଯେଉଁଠାରେ ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ଉପରେ ନିଷେଧ ଲାଗୁ ହେବ।
କେତେକ ଏହାକୁ ଉଚିତ ପଦକ୍ଷେପ ବୋଲି ମନେ କରୁଥିବା ବେଳେ ଆଉ କେତେକ କହୁଛନ୍ତି ଯେ ପୂର୍ଣ୍ଣ ନିଷେଧ ବଦଳରେ ଅଭିଭାବକଙ୍କ ତତ୍ତ୍ୱାବଧାନରେ ପିଲାମାନଙ୍କ ସୋସିଆଲ ମିଡ଼ିଆ ବ୍ୟବହାର ଉପରେ ନିୟନ୍ତ୍ରଣ ଆଣିଲେ ଅଧିକ ଭଲ ହେବ।