ଅରୁଣାଚଳ ପ୍ରଦେଶରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ଘଟଣାରେ ଅନ୍ତିମ ଶବ ଉଦ୍ଧାର କରାଯାଇଛି । ଏହି ଶବ ସହ ମୃତକଙ୍କ ସଂଖ୍ୟା ୫ରେ ପହଞ୍ଚିଛି ।
ପ୍ରତିରକ୍ଷା ମନ୍ତ୍ରାଳୟର ପ୍ରବକ୍ତା ଲେଫ୍ଟନାଣ୍ଟ କର୍ଣ୍ଣେଲ ଏଏସ ବାଲିଆ ଏନେଇ ସୂଚନା ଦେଇ କହିଛନ୍ତି, ହେଲିକପ୍ଟର ଦୁର୍ଘଟଣାରେ ଦୁଇ ପାଇଲଟଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି ।
ଏ ସମସ୍ତଙ୍କୁ ନେଇ ଶୁକ୍ରବାର ହେଲିକପ୍ଟର ନିୟମିତ ଉଡାଣ ଆରମ୍ଭ କରିଥିଲା । ପାଖାପାଖି ୧୦ଟା ୪୩ରେ ଏହା ମିମିଙ୍ଗ ଗାଁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
ବାଲିଆ ଆହୁରି ମଧ୍ୟ କହିଛନ୍ତି, ଏହି ଦୁର୍ଘଟଣା ଚୀନ ସୀମାର ପାଖପାଖି ୩୫ କିଲୋମିଟର ଦୂରରେ ହୋଇଛି । ଘନ ଜଙ୍ଗଲ ଭିତରେ ଏହି ଦୁର୍ଘଟଣା ହୋଇଥିଲା ।
ଶୁକ୍ରବାର ୪ ଜଣଙ୍କର ଶବ ଉଦ୍ଧାର କରାଯାଇଥିବା ବେଳେ ଆଉ ଜଣଙ୍କର ଶବ ଉଦ୍ଧାର ହୋଇପାରିନଥିଲା । ତେବେ ଶନିବାର ତାଙ୍କର ଶବ ଉଦ୍ଧାର କରାଯାଇଛି ।