ବ୍ରିଟେନରେ କିଏ ହେବେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ?

ନୂଆଦିଲ୍ଲୀ: ଲିଜ୍ ଟ୍ରସଙ୍କ ଇସ୍ତଫା ପରେ କିଏ ହେବେ ବ୍ରିଟେନ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ? କନଜରଭେଟିଭ ପାର୍ଟି ପକ୍ଷରୁ ନେତା ଚୟନ ନେଇ ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ । ନେତା ପଦ ନିର୍ବାଚନରେ ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ମଧ୍ୟରେ ଲଢେଇ ହେବାକୁ ଯାଉଥିବା ପ୍ରାଥମିକ ସ୍ଥିତିରୁ ଅନୁମାନ କରାଯାଉଛି । ଋଷି ସୁନକ ୧୦୦ ସାଂସଦଙ୍କ ସମର୍ଥନ ଏକାଠି କରିବା ନିକଟରେ ପହଞ୍ଚିବାରେ ପ୍ରଥମ ନେତା । କନଜରଭେଟିଭ ପାର୍ଟିର ନେତା ପଦ ପାଇଁ ଆଶାୟୀ ପ୍ରାର୍ଥୀକୁ ନାମାଙ୍କନ ପାଇଁ ଅତି କମରେ ୧୦୦ ସାଂସଦଙ୍କ ସମର୍ଥନ ଜରୁରୀ । ଏହାରି ଭିତରେ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ପାଇଁ ମଧ୍ୟ ସମର୍ଥନ ବଢୁଥିବା ସଂକେତ ମିଳୁଛି ।

ତେବେ ପର୍ଯ୍ୟବେକ୍ଷକଙ୍କ ଅନୁସାରେ ଯଦି ଜନସନ ନେତା ନିର୍ବାଚିତ ହୁଅନ୍ତି, ତେବେ କନଜରଭେଟିଭ ପାର୍ଟି ତାଙ୍କର ପୁରୁଣା ପାର୍ଟିଗେଟ୍ ସ୍କାଣ୍ଡାଲରେ ପୁଣି ଫସିପାରେ। କରୋନା ଲକଡାଉନ ସମୟରେ ପ୍ରଧାନମନ୍ତ୍ରୀ ଆବାସରେ ବିଶାଳପୂର୍ଣ୍ଣ ପାର୍ଟିର ଆୟୋଜନ ସାମନାକୁ ଆସିବା ପରେ ବିବାଦ ବଢିଥିଲା । ସଂସଦୀୟ କମିଟି ଏବେ ବି ଏହି ମାମଲାର ଯାଞ୍ଚ କରୁଛି, ଆସନ୍ତା କିଛି ମାସରେ ଏହା ରିପୋର୍ଟ ଆସିପାରେ । ଅନୁମାନ କରାଯାଉଛି ଏଥିରେ ଜନସନ ଦୋଷୀ ପ୍ରଣାମିତ ହୋଇପାରନ୍ତି । ଏହା ସତ୍ତ୍ୱେ ପାର୍ଟିର ଏକ ଗୋଷ୍ଠୀ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସମର୍ଥନ ଏକଜୁଟ ହେଉଛନ୍ତି ।