ପଦ୍ମ ଧରିଲେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା

ଓଡ଼ିଶାବାସୀଙ୍କୁ ସୁଶାସନ ଦେଇ ପାରିବନି ବିଜେଡ଼ି: ରବୀନ୍ଦ୍ର

ଭୁବନେଶ୍ୱର, ୧୧/୦୩: ପଦ୍ମ ଧରିଲେ ରବୀନ୍ଦ୍ର ଜେନା। ବାଲେଶ୍ବରର ପୂର୍ବତନ ବିଜେଡି ସାଂସଦ ରବୀନ୍ଦ୍ର ଜେନାଙ୍କ ସହ ଶହ ଶହ ନେତା ଓ କର୍ମୀ ଆଜି ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି। ରାଜ୍ୟ ବିଜେପି ମୁଖ୍ୟାଳୟରେ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ରବୀନ୍ଦ୍ର ଜେନା, ବାଲେଶ୍ବର ସଦର ବ୍ଲକ ଚେୟାରମ୍ୟାନ ସୁନିତା ବେହେରା, ବସ୍ତା ବ୍ଲକ ଅଧ୍ୟକ୍ଷା ଅଞ୍ଜଳୀ ଦାସଙ୍କ ସମେତ ୧୫୦ରୁ ଅଧିକ ସରପଞ୍ଚ। ଗତ କାଲି ବିଜେଡ଼ି ରୁ ଇସ୍ତଫା ଦେଇଥିଲେ ରବୀନ୍ଦ୍ର। ବ୍ୟକ୍ତିଗତ କାରଣ ଦର୍ଶାଇ ନବୀନଙ୍କୁ ଇସ୍ତଫା ପତ୍ର ପଠାଇଥିଲେ।

ଆଜି ବିଜେପିରେ‌ ଯୋଗ ଦେବା ପରେ ବିଜେଡ଼ିକୁ ଟାର୍ଗେଟ କରି କହିଛନ୍ତି, ମୁଁ ଭାବୁଛି ଆଗାମୀ ଦିନରେ, ବିଜେଡି ଓଡ଼ିଶାବାସୀଙ୍କୁ ସୁଶାସନ ଦେଇ ପାରିବନି।‌ ଯେଉଁ ଆଞ୍ଚଳିକ ଦଳ ଉତ୍ତରାଧିକାରୀ ବାଛି ପାରିବନି, ସେହି ଦଳ ତିଷ୍ଠେନି। BJDର ଉତ୍ତରାଧିକାରୀ ଯୋଜନା ନାହିଁ, ଏହା ସୁଶାସନ ଦେଇପାରିବନି।

ବିଭିନ୍ନ ଉଦାହରଣ ଦେଇ ନିଜର ବକ୍ତବ୍ୟରେ କହିଛନ୍ତି, “କାଂଶୀରାମ ମାୟାବତୀଙ୍କୁ ନିଜ ଉତ୍ତରାଧିକାରୀ କରିଥିଲେ, BSP ସଫଳ ବି ହେଲା।‌ ମୁଲାୟମ ସିଂହ ଯାଦବ ନିଜ ପୁଅ ଅଖିଳେଶଙ୍କୁ ଉତ୍ତରାଧିକାରୀ ବାଛିଲେ। ଅଖିଳେଶ ମଧ୍ୟ ସମାଜବାଦୀ ପାର୍ଟିକୁ ଆଗେଇ ନେବାରେ ସଫଳ ହେଲେ। ତାମିଲନାଡୁରେ କରୁଣାନିଧି ଷ୍ଟାଲିନଙ୍କୁ ନିଜ ଉତ୍ତରାଧିକାରୀ କରିଥିଲେ। ଷ୍ଟାଲିନ୍ ମଧ୍ୟ DMK ପାର୍ଟିକୁ ଆଗେଇ ନେବାରେ ସଫଳ ହୋଇଛନ୍ତି। କିନ୍ତୁ ଏପରି ବି ଦଳ ଅଛନ୍ତି ଉତ୍ତରାଧିକାରୀ ନ ବାଛି ବିଫଳତାର ମୁହଁ ଦେଖିଛନ୍ତି। ଯେପରି ପଞ୍ଜାବର ଅକାଳୀ ଓ ତାମିଲନାଡୁର AIADMK। ତେଣୁ ମୁଁ ଭାବୁଛି ଆଗାମୀ ଦିନରେ, ବିଜେଡି ଓଡ଼ିଶାବାସୀଙ୍କୁ ସୁଶାସନ ଦେଇ ପାରିବନି।‌ କାରଣ ବିଜେଡିର ଉତ୍ତରାଧିକାରୀ ଯୋଜନା ନାହିଁ।”