ଭୁବନେଶ୍ୱରରେ ‘ଗ୍ଲୋବାଲ ସମିଟ୍ ଅନ୍ ବ୍ଲୁ ଇକୋନୋମି ୨୦୨୬’ ଉଦଘାଟିତ
ନୀଳ ଅର୍ଥନୀତି କ୍ଷେତ୍ରରେ ନବସୃଜନ, ସହଭାଗିତା ଏବଂ ସ୍ଥାୟୀ ଅଭିବୃଦ୍ଧି ପାଇଁ ଭୁବନେଶ୍ୱରରେ ଜାତୀୟ ଏବଂ ବିଶ୍ୱସ୍ତରୀୟ ନେତୃବୃନ୍ଦ ଏକତ୍ରିତ
ଭୁବନେଶ୍ୱର, ୧୩/୦୩: ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଆଜି ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନଭେନସନ ସେଣ୍ଟରଠାରେ ‘ଗ୍ଲୋବାଲ ସମିଟ୍ ଅନ୍ ବ୍ଲୁ ଇକୋନୋମି ୨୦୨୬’କୁ ଉଦଘାଟନ କରି ‘ବିକଶିତ ଓଡ଼ିଶା @୨୦୩୬’ ଅଧୀନରେ ରାଜ୍ୟର ଦୂରଦୃଷ୍ଟି ଉପସ୍ଥାପନ କରିଛନ୍ତି। ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ସାମୁଦ୍ରିକ ସମ୍ପଦର ସମ୍ଭାବନା ଉପରେ ଆଲୋକପାତ କରି ସେ ଓଡ଼ିଶାର ୫୭୫ କିଲୋମିଟର ବେଳାଭୂମି ସହିତ ଅର୍ଥନୀତି, ଜନସଂଖ୍ୟା, ଭୌଗୋଳିକ ସ୍ଥିତି ଏବଂ ପରିସଂସ୍ଥା (EDGE) ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ ୨୦୪୭ ସୁଦ୍ଧା ଦେଶର ଜିଡିପିରେ ୫% ଅବଦାନ ରଖିବାକୁ ଓଡ଼ିଶା ଲକ୍ଷ୍ୟ ରଖିଛି, ଯେଉଁଥିରେ ମତ୍ସ୍ୟ ସମ୍ପଦ, ସାମୁଦ୍ରିକ ଭିତ୍ତିଭୂମି, ଉପକୂଳ ପର୍ଯ୍ୟଟନ ଏବଂ ‘ଓମ୍ବ୍ରିକ୍’ (OMBRIC) ମାଧ୍ୟମରେ ସାମୁଦ୍ରିକ ଜୈବ ପ୍ରଯୁକ୍ତିବିଦ୍ୟାର ପ୍ରମୁଖ ଅବଦାନ ରହିବ। ଶେଷରେ ସେ “Think India, Think Odisha” ର ଦର୍ଶନକୁ ଦୋହରାଇ ଓଡ଼ିଶାକୁ ନୀଳ ଅର୍ଥନୀତିର ବିକାଶ ଓ ନବସୃଜନର ଏକ କେନ୍ଦ୍ର ଭାବରେ ଉପସ୍ଥାପିତ କରିଥିଲେ।
‘ବିକଶିତ ଭାରତ @୨୦୪୭’ ଅଧୀନରେ ଜାତୀୟ ଦୃଷ୍ଟିକୋଣ ପ୍ରଦାନ କରି ଭାରତ ସରକାରଙ୍କ ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟର ସଚିବ ଡକ୍ଟର ଏମ୍. ରବିଚନ୍ଦ୍ରନ ସମୁଦ୍ରର ବିଶାଳ ସମ୍ଭାବନା ସମ୍ବନ୍ଧ ରେ କହିଥିଲେ ଯେ, ବିଶ୍ୱସ୍ତରରେ ସମୁଦ୍ରର ପ୍ରାୟ ୯୫% ଅଂଶ ଏବେ ମଧ୍ୟ ଅନୁସନ୍ଧାନ ଅପେକ୍ଷାରେ ଅଛି। ସେ ଅଫସୋର ଶକ୍ତି ଏବଂ ସାମୁଦ୍ରିକ ଜୈବ ପ୍ରଯୁକ୍ତିବିଦ୍ୟା ଭଳି କ୍ଷେତ୍ରରେ ଥିବା ସୁଯୋଗ ଏବଂ ଜଳବାୟୁ ପ୍ରଭାବ, ଉପକୂଳ କ୍ଷୟ ଏବଂ ସାମୁଦ୍ରିକ ପ୍ରଦୂଷଣ ଭଳି ଆହ୍ୱାନ ଉପରେ ଗୁରୁତ୍ୱାରୋପ କରିବା ସହ ସାମୁଦ୍ରିକ ସମ୍ପଦର ସ୍ଥାୟୀ ବ୍ୟବହାର ପାଇଁ ଅଧିକ ଗବେଷଣା ଏବଂ ନବସୃଜନର ଆବଶ୍ୟକତା ଉପରେ ଜୋର ଦେଇଥିଲେ।
ଭାରତରେ ତିମୋର-ଲେଷ୍ଟେର ରାଷ୍ଟ୍ରଦୂତ ମହାମହିମ କାର୍ଲିଟୋ ନୁନେସ୍ ତାଙ୍କ ଦେଶର ସାମୁଦ୍ରିକ ଏବଂ ଉପକୂଳ କ୍ଷେତ୍ରକୁ ମଜବୁତ କରିବା ଉପରେ ଆଲୋକପାତ କରିବା ସହ ନୀଳ ଅର୍ଥନୀତିର ଅଗ୍ରଗତି ପାଇଁ ଆନ୍ତର୍ଜାତୀୟ ସହଯୋଗ ଏବଂ ସହଭାଗିତାର ଗୁରୁତ୍ୱ ବିଷୟରେ ସୂଚନା ଦେଇଥିଲେ।
ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଏନ୍.ବି.ଏସ୍. ରାଜପୁତ (ଆଇଏଏସ୍) ଓଡ଼ିଶାର ଉପକୂଳ ଏବଂ ସାମୁଦ୍ରିକ ସମ୍ପଦର ରଣନୈତିକ ଗୁରୁତ୍ୱ ବିଷୟରେ ଉଦବୋଧନ ଦେଇ କହିଥିଲେ ଯେ, ମତ୍ସ୍ୟ ଚାଷ ଓ ଜଳଜ ପ୍ରାଣୀ ପାଳନ ଭଳି ପ୍ରମୁଖ କ୍ଷେତ୍ରକୁ ମଜବୁତ କରିବା ଏବଂ ଉପକୂଳବର୍ତ୍ତୀ ଜୀବିକାକୁ ସହାୟତା କରିବା ପାଇଁ ଅଧିକ ସହଯୋଗ, ଉନ୍ନତ ଭିତ୍ତିଭୂମି, ନବସୃଜନ ଏବଂ ସ୍ଥାୟୀ ଅଭ୍ୟାସର ଆବଶ୍ୟକତା ରହିଛି।
କାର୍ଯ୍ୟକ୍ରମ ପ୍ରାରମ୍ଭ ରେ BCKIC ଫାଉଣ୍ଡେସନର ଅଧ୍ୟକ୍ଷ ଡକ୍ଟର ମୃତ୍ୟୁଞ୍ଜୟ ସୁଆର ସ୍ୱାଗତ ଭାଷଣ ଦେଇ ଭାରତର ନୀଳ ଅର୍ଥନୀତିକୁ ଆଗକୁ ନେବା ପାଇଁ ସହଯୋଗ ଏବଂ ନବସୃଜନର ଗୁରୁତ୍ୱ ଉଲ୍ଲେଖ କରିଥିଲେ।
ଏହି ଦୁଇ ଦିନିଆ ସମ୍ମିଳନୀ ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତାଙ୍କ କାର୍ଯ୍ୟାଳୟ ଅଧୀନରେ ଥିବା ‘ଭୁବନେଶ୍ୱର ସିଟି ନଲେଜ୍ ଇନୋଭେସନ କ୍ଲଷ୍ଟର’ (BCKIC) ଫାଉଣ୍ଡେସନ ଦ୍ୱାରା PM-STIAC ର ମାର୍ଗଦର୍ଶନରେ ଏବଂ ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗର ମିଳିତ ସହଯୋଗରେ ଆୟୋଜିତ ହେଉଛି।
ଉଦଘାଟନୀ ଅଧିବେଶନରେ ନୀତି ନିର୍ଦ୍ଧାରକ, ଶିଳ୍ପ ଜଗତର ପ୍ରତିନିଧି, ଗବେଷକ, ଷ୍ଟାର୍ଟଅପ୍ ଏବଂ ଛାତ୍ରଛାତ୍ରୀଙ୍କ ସମେତ ୫୦୦ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ‘ବ୍ଲୁ ଇକୋନୋମି ଟେକ୍ନୋଲୋଜି କମ୍ପେଣ୍ଡିୟମ୍’ ଏବଂ ‘ଏକାଡେମିକ ଆବଷ୍ଟ୍ରାକ୍ଟ ବୁକ୍’ ଉନ୍ମୋଚିତ ହୋଇଥିଲା। ଏଥିସହ ‘ଷ୍ଟାର୍ଟଅପ୍ ସୋକେସିଂ ପାଭିଲିୟନ’ ଉଦଘାଟିତ ହୋଇଥିଲା, ଯେଉଁଠାରେ ଓଡ଼ିଶାର ଉପକୂଳ ଅଞ୍ଚଳର ୨୬ଟି ଷ୍ଟାର୍ଟଅପ୍ ସାମୁଦ୍ରିକ ବିକାଶ କ୍ଷେତ୍ରରେ ସେମାନଙ୍କର ନବସୃଜନ ପ୍ରଦର୍ଶନ କରିଥିଲେ।
ଦୁଇ ଦିନିଆ କାର୍ଯ୍ୟକ୍ରମରେ ମତ୍ସ୍ୟ ଚାଷ, ସାମୁଦ୍ରିକ ଜୈବ ବିବିଧତା, ଜଳବାୟୁ ସହନଶୀଳତା, ସାମୁଦ୍ରିକ ସୁରକ୍ଷା, ପ୍ରଦୂଷଣ, ଅଫସୋର ଶକ୍ତି, ଗଭୀର ସମୁଦ୍ର ଖନନ, ସାମୁଦ୍ରିକ ଜୈବ ପ୍ରଯୁକ୍ତିବିଦ୍ୟା ଏବଂ AI-ଆଧାରିତ ସାମୁଦ୍ରିକ ବୁଦ୍ଧିମତା (Ocean Intelligence) ଉପରେ ଆଲୋଚନା କରାଯିବ।
ଏହି ସମ୍ମିଳନୀ ଭାରତର ‘ମ୍ୟାରିଟାଇମ ଇଣ୍ଡିଆ ଭିଜନ ୨୦୩୦’ ଏବଂ ‘ବିକଶିତ ଭାରତ @୨୦୪୭’ ର ଲକ୍ଷ୍ୟ ସହିତ ଜଡ଼ିତ।